ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ

#ଜଗତପୁର(ଏନ୍.ଏମ୍.): ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ଜଗତପୁର ଅଞ୍ଚଳରେ ଉଭୟ ରାତ୍ରୀ ଓ ଦିନ ସମୟରେ ବାରମ୍ବାର ମରାମତି ଆଳରେ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି । ଏହି ପରିପ୍ରେକ୍ଷୀରେ “ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ’ ପକ୍ଷରୁ ସଭାପତି ତୀର୍ଥାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଜଗତପୁର ଗୋଲେଇ ଛକ ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଉପଭୋକ୍ତାମାନଙ୍କ ବିକ୍ଷୋଭ କରାଯିବା ପରେ ଦୀର୍ଘ ଏକଘଣ୍ଟା କାଳ ଅଞ୍ଚଳର ବିଭିନ୍ନ ବିଦ୍ୟୁତ ସମସ୍ୟା ସମ୍ପର୍କରେ ଏସଡ଼ିଓ ଓ ଜେଇଙ୍କ ସହିତ ସକାରାତ୍ମକ ଆଲୋଚନା କରାଯାଇଥିଲା । ବିଶେଷ କରି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା ,ଦୀର୍ଘ ବର୍ଷର ପୁରୁଣା ତାର ଓ ଖୁଣ୍ଟକୁ ବଦଳାଯିବା, ଅଧିକ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ବସାଇବା, ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଲେ ନିୟମାନୁଯାୟୀ ବିଭାଗ ଉପଭୋକ୍ତାଙ୍କୁ ଜୋରିମାନା ରାଶି ପ୍ରଦାନ କରିବା, ପୂର୍ବ ପ୍ରସ୍ତାବିତ ନୂତନ ଗ୍ରୀଡ଼ ସ୍ଥାପନ କରାଯିବା, ଏହି ଅସହ୍ୟ ଗୁଳୁଗୁଳି ସମୟରେ ବକେୟା ପାଇଁ କୌଣସି ଘରୋଇ ଉପଭୋକ୍ତାଙ୍କ ଲାଇନ କଟା ନଯିବା ନେଇ ଦାବି ରହିଥିଲା । ଏଥି ସହିତ ପୁରୁଣା ସର୍ଭିସ ତାର ଇତ୍ୟାଦି ବଦଲା ଗଲେ ଉପଭୋକ୍ତା ସର୍ଭିସ ତାର ଇତ୍ୟାଦି ଦେଉଥିବା ବେଳେ ଲେବର ଚାର୍ଜ ବାବଦରେ ପ୍ରାୟ ହଜାରେ ଟଙ୍କା ଭଳି ମୋଟା ଅଙ୍କର ଅର୍ଥରାଶି ବିଲରେ ସଂଯୁକ୍ତ ହୋଇ ଆସିବା ଇତ୍ୟାଦିକୁ ସଂଘ ଦୃଢ଼ ବିରୋଧ କରିଥିଲା । ଏହି କାର୍ଯ୍ୟକ୍ରମରେ କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ପୂର୍ବତନ କର୍ପୋରେଟର ତଥା ଯୁବ ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସହ ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ପୂଜାକମିଟି ମୁରବୀ ସଚ୍ଚିଦାନନ୍ଦ ଶୁକ୍ଳ ଓ ସନାତନ ନାୟକ, ସାମାଜିକ କର୍ମୀ ରଶ୍ମୀକାନ୍ତ ସାମଲ, ବସ୍ତି ସଙ୍ଘ ନେତା ଲଳିତ ପରିଡା, ବରିଷ୍ଠ ନାଗରିକ ମହାସଂଘ କର୍ମକର୍ତ୍ତା ନଗେନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ମୁରବୀ ରବୀନ୍ଦ୍ର ପଣ୍ଡା, ପ୍ରମୋଦ ମହାନ୍ତି, ରମେଶ ଶରଣ, ଗୌରାଙ୍ଗ ମହାନ୍ତି, ଜୟନାରାୟଣ ତ୍ରିପାଠୀ, ଆବାସ ମଲ୍ଲିକ, ପ୍ରଭାତ ପଣ୍ଡା, ଯୋଗେନ୍ଦ୍ର ବାରିକ, ପ୍ରବୀର ରଥ, ସୁଶୀଲ ମହାନ୍ତି, ପ୍ରବୋଧ ବାରିକ, ଗିରିଧାରୀ ପଣ୍ଡା, ଲଷ୍ମୀଧର ଶୁକ୍ଳ ଓ ବସ୍ତିମହାସଙ୍ଘ ନେତା ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେବା ସହ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଟିପିସିଓଡିଏଲର ଏସଡ଼ିଓ ଇଂ. ସରୋଜ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଆଲୋଚନା ସମୟରେ ଏସଡ଼ିଓ ଶ୍ରୀ ସାହୁଙ୍କ ସହିତ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ଭୋଇ ଉପସ୍ଥିତ ଥିଲେ ।