ଜାତୀୟ କୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୪୯ ପଦକ

ଜାତୀୟ କୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୪୯ ପଦକ
କଟକ(ଏନ୍‌.ଏମ୍‌.): ଗୁଜରାଟର ଅହମ୍ମଦାବାଦଠାରେ ନଭେମ୍ବର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୭ତମ ଜାତୀୟ କୁଡୋ ପ୍ରତିଯୋଗିତା, ୧୮ତମ ଅକ୍ଷୟ କୁମାର ଆନ୍ତର୍ଜାତିକ କୁଡୋ ଚାମ୍ପିୟନସିପ୍ ଏବଂ ୭ମ ଫେଡେରେସନ୍ କପ୍‌ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୁଡୋ ଓଡ଼ିଶାର ସହ ସମ୍ପାଦକ ତଥା ରାଜ୍ୟ ମୁଖ୍ୟ ପ୍ରଶିକ୍ଷକ ସିହାନ୍ ନିତାଇ ଶଙ୍କର ଗୁଇଁଙ୍କ ନେତୃତ୍ୱରେ ରାଜ୍ୟରୁ ମୋଟ ୪୪ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ମୋଟ ୪୯ଟି ପଦକ ହାସଲ କରିଛନ୍ତି। ଏଥିରେ ୧୨ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୨୮ଟି କାଂସ୍ୟ ପଦକ ରହିଛି। ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ଅନନ୍ୟା ମହାନ୍ତି, ଏସ୍‌କେ ଇର୍‌ଫାନ୍‌, ବିଶ୍ୱଜିତ୍ ବେଉରା, ଜୈଷ୍ଣବୀ ସାହୁ, ଦିବ୍ୟାଶିଂ ରାଏ, ଅରିଜିତ୍ ଷଡ଼ଙ୍ଗୀ ଏବଂ ରାଜ୍ ଅର୍ଜୁନ ମଲିକ୍ ପ୍ରମୁଖ ରହିଛନ୍ତି। ଓଡ଼ିଶାର ଏହି ସଫଳତାରେ କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଶିବାଶିଷ କର ଏବଂ ମୁଖ୍ୟ ଉପଦେଷ୍ଟା ଡ. ବିଜୟାନନ୍ଦ ସିଂହ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦଳ ସହିତ ଅଫିସିଆଲ୍ ଭାବେ ନର୍ମଦା ଗୁଇଁ, ମୃତ୍ୟୁଞ୍ଜୟ ଯାଦବ, ଅଜୟ ବେହେରା, ଅତିଶ୍ ଷଡ଼ଙ୍ଗୀ, ସୁମନ୍ କୁମାର ସାହୁ ଓ ମୁକେଶ କୁମାର ନାୟକ କୋଚ୍ ଭାବେ ଏବଂ ତ୍ରିବିକ୍ରମ୍ ଗୁଇଁ ମ୍ୟାନେଜର୍ ଭାବେ ଉପସ୍ଥିତ ଥିଲେ। ଓଡ଼ିଶାର ଏହି ସଫଳତା ରାଜ୍ୟର କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ ପାଲଟିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ