ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍’: ଗୋପାଳପୁର ନିକଟରେ ହୋଇପାରେ ଲ୍ୟାଣ୍ଡଫଲ, ୬ ଜିଲ୍ଲାକୁ ରେଡ୍ ଆଲର୍ଟ

@ଭୁବନେଶ୍ୱର(ଏନ୍.ଏମ୍.): ଏବେ ସମୟକ୍ରମେ ମୋଡ଼ ବଦଳାଇଛି ସାମୁଦ୍ରିକ ଝଡ଼ ‘ଅକଭାନ୍’। ସମୁଦ୍ର ଭିତରେ ଏହି ଝଡ଼ ଅଧିକ ପ୍ରଭାବଶାଳୀ ହେବା ସହ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ନରସାପୁରରୁ ପୁରୀ ମଧ୍ୟରେ, ବିଶେଷକରି ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ଏହାକୁ ନେଇ ରାଜ୍ୟରେ ବିପଦ ବଢ଼ିଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ୬ଟି ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟ।।ପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ ପୁଣି କହିଛନ୍ତି ଯେ, ବାତ୍ୟା ‘ଅକଭାନ୍’ ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଅକଭାନ ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୪୨୦ କିଲୋମିଟର, କଳିଙ୍ଗପଟ୍ଟନମରୁ ୪୯୦ କିଲୋମିଟର, ଗୋପାଳପୁର ଠାରୁ ୫୫୦ କିଲୋମିଟର ଏବଂ ପୁରୀ ଠାରୁ ୫୯୦ କିଲୋମିଟର ଦକ୍ଷିଣରେ ରହିଛି। ବାତ୍ୟା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ସମୁଦ୍ରରୁ ବଳ ଗୋଟାଇ ମାଡ଼ିଆସୁଛି। ଏହି ୬ଟି ଜିଲ୍ଲାରେ ୨୦ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୦ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହୋଇପାରେ। ପୁନଶ୍ଚ ୬ଟି ଜିଲ୍ଲା ଯଥା: ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଏଠାରେ ୭ରୁ ୧୨ ସେଣ୍ଟିମିଟର ବର୍ଷା ହୋଇପାରେ। ସେହିପରି ଆସନ୍ତା କାଲି ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ। ତେଣୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆଗାମୀ ଦୁଇ ଦିନ ଧରି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ତେବେ ନଭେମ୍ବର ୨୧ରୁ ବର୍ଷାର ପରିମାଣ କମିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ଏହି ସବୁ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

