ପବିତ୍ର ଦୂର୍ଗା ପୂଜା ଅବସରରେ କନ୍ୟା ପୂଜନ ନୀତିକୁ ବଂଚାଇ ରଖିଛନ୍ତି ବିଜେପି ନେତା ସନ୍ତୋଷ

@ଚୌଦ୍ୱାର(ଏନ୍.ଏମ୍.): ପୁରପଲ୍ଲୀ ଠାରୁ ସହର ବଜାର ପର୍ଯ୍ୟନ୍ତ ଏବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ଉଚ୍ଛୁଳି ପଡ଼ୁଛି ଗଗନ ପବନ । ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମୁଖରିତ ହୋଇପଡ଼ୁଛି ପୂଜାମଣ୍ଡପ । ଶରତର ସୁକୁମାରୀ ଶିଶିରର ସ୍ପର୍ଷରେ ମା’ ଆସିଛନ୍ତି ଧରାପୃଷ୍ଠକୁ । ଏହି ଅବସରରେ ପବିତ୍ର ତପ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ମା’ଙ୍କ ଆରଧନା । ଶକ୍ତି ରୂପିଣୀ ଦୁର୍ଗତୀନାସିନୀ ମା’ ଦୁର୍ଗା କେତେବେଳେ କନ୍ୟା ତ ଆଉ କେତେବେଳେ ଜଗତଜନନୀ ଆଉ କେତେବେଳେ ସଂହାରକାରିଣୀ । ମା’ ଶକ୍ତି ବିଭିନ୍ନ ରୂପରେ ଭକ୍ତକୁ ଦର୍ଶନ ଦିଅନ୍ତି । ତେଣୁ ଦୁର୍ଗାପୂଜାରେ କନ୍ୟାପୂଜନ ନୀତି ଏକ ଅନନ୍ୟ ପରମ୍ପରା । ଏହି ଅବସରରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ସନ୍ତୋଷ କୁମାର ମହାନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପରାମର୍ଶକ୍ରମେ ଚୌଦ୍ୱାର ଦୁର୍ଗାବଜାରସ୍ଥିତ ଦୁର୍ଗାମଣ୍ଡପ ଠାରେ କନ୍ୟାପୂଜନ କାର୍ଯ୍ୟକ୍ରମ କରିଛନ୍ତି । ଅଂଚଳର ଶତାଧିକ କନ୍ୟାଙ୍କୁ ଏକତ୍ରିତକରି ଯଥାବିଧି ପୂଜାର୍ଚ୍ଚନା କରିବା ସହ ସେମାନଙ୍କୁ ପୁଷ୍ପମାଲ୍ୟ, ଉତରୀୟ ପ୍ରଦାନ କରିଥିଲେ । ପ୍ରଥମେ କନ୍ୟାମାନଙ୍କ ପଦ ପ୍ରକ୍ଷାଳନ କରିବା ପରେ ସମସ୍ତ କନ୍ୟାମାନଙ୍କୁ ପୂଜନ କରିବା ସହ ଆଜିର ସମାଜରେ କନ୍ୟା ବା ନାରୀ ଅବହେଳିତ ନୁହେଁ ସେ ରକ୍ଷକ ହୋଇଥିଲେ ବି ଭକ୍ଷକ ହୋଇପାରେ ବୋଲି ବାର୍ତା ଦେଇଥିଲେ । ଏଥି ସହିତ ନାରୀ ମା’ ଲକ୍ଷ୍ମୀ ସାଜି ପାଳନ କରିପାରେ ତ ମା’ ଦୁର୍ଗା ସାଜି ମହିଷାସୁର ଭଳି ଅସୁରକୁ ଧରାପୃଷ୍ଠରୁ ନିପାତ କରିପାରେ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ମୁରବୀ, ବୁଦ୍ଧିଜୀବୀ, ନେତୃବର୍ଗ, ପୂଜା କମିଟି କର୍ମକର୍ତାଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ରହି ଶ୍ରୀ ମହାନ୍ତିଙ୍କ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଡମ୍ବରୁଧର, ବିଜେପି କାଉନସିଲର ପ୍ରାର୍ଥୀ ଝୁନୁରାଣୀ ଦାସ ପ୍ରମୁଖ ଉପସ୍ଥିତଥିଲେ ।

