କଟକ ବାଲିଯାତ୍ରାରୁ ରାଷ୍ଟ୍ରପତିଙ୍କ ଆହ୍ୱାନ: ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ଗଢ଼, ଭବିଷ୍ୟତକୁ କର ଉଜ୍ଜ୍ୱଳ

କଟକ ବାଲିଯାତ୍ରାରୁ ରାଷ୍ଟ୍ରପତିଙ୍କ ଆହ୍ୱାନ: ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ଗଢ଼, ଭବିଷ୍ୟତକୁ କର ଉଜ୍ଜ୍ୱଳ

କଟକ ବାଲିଯାତ୍ରାରୁ ରାଷ୍ଟ୍ରପତିଙ୍କ ଆହ୍ୱାନ: ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ଗଢ଼, ଭବିଷ୍ୟତକୁ କର ଉଜ୍ଜ୍ୱଳ
କଟକ ପାଇଁ ଦୁଇଟି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

president at baliyatra ktk
@କଟକ(ଏନ୍‌.ଏମ୍‌.): କଟକର ଐତିହାସିକ ବାଲିଯାତ୍ରା କେବଳ ଇତିହାସର ରୋମନ୍ଥନ କରୁନାହିଁ ବରଂ ନୂତନ ଜୀବନ ଜୀବିକା ପାଇଁ ବଡ଼ ଆଶା ମଧ୍ୟ ସୃଷ୍ଟି କରିଛି। ଚଳିତ ବର୍ଷ ଏହି ଐତିହାସିକ ବାଲିଯାତ୍ରାରେ ଇତିହାସର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବାଲିଯାତ୍ରାକୁ ମହାମହିମ ରାଷ୍ଟ୍ରପତି ଉଦ୍‌ଘାଟନ କରି ଅଧିକ ଗରିମାମୟ କରିଛନ୍ତି। ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ ଓ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବାଲିଯାତ୍ରା ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରକାଶ କରିଛନ୍ତି। କଟକରେ ଆୟୋଜିତ ବାଲିଯାତ୍ରା ୨୦୨୬କୁ ଉଦଘାଟନ କରି ଓଡ଼ିଶାର ଐତିହାସିକ ଗୌରବ, ସାଧବ ପୁଅଙ୍କ ସାହସ ଓ ବାଣିଜ୍ୟିକ ଦକ୍ଷତାକୁ ସ୍ମରଣ କରିଛନ୍ତି ରାଷ୍ଟ୍ରପତି। ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନକୁ ଗଢ଼ିବା ଏବଂ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ବାଲିଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଶାର ଗୌରବମୟ ଇତିହାସ ଓ ସାମୁଦ୍ରିକ ବାଣିଜ୍ୟ ପରମ୍ପରାର ପ୍ରତୀକ। ଏକଦା ସାଧବ ପୁଅମାନେ ବାଣିଜ୍ୟ ପାଇଁ ସମୁଦ୍ର ପଥରେ ଦୂରଦେଶକୁ ଯାତ୍ରା କରୁଥିଲେ। ନୂଆ ସାମୁଦ୍ରିକ ପଥ ଆବିଷ୍କାର କରିବା ସହ ବିଭିନ୍ନ ଦେଶ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ସେମାନଙ୍କର ସାହସ ଓ ଦକ୍ଷତା ଆଜିର ପିଢ଼ି ପାଇଁ ପ୍ରେରଣାଦାୟୀ। ଓଡ଼ିଶା ଓ ଇଣ୍ଡୋନେସିଆର ବାଲି ଦ୍ୱୀପ ମଧ୍ୟରେ ରହିଥିବା ଐତିହାସିକ ସମ୍ପର୍କକୁ ଆଧୁନିକ ବାଣିଜ୍ୟିକ ଓ ସାଂସ୍କୃତିକ ସହଯୋଗରେ ପରିଣତ କରିବାର ସୁଯୋଗ ରହିଛି। ବାଲିଯାତ୍ରାରେ ଇଣ୍ଡୋନେସିଆର ସାଂସ୍କୃତିକ ଦଳଙ୍କ ଅଂଶଗ୍ରହଣକୁ ସ୍ୱାଗତ କରିବା ସହ ବାର୍ଲିରେ ଆୟୋଜିତ ଦୁଇଦିନିଆ “ଓଡ଼ିଶା ମହୋତ୍ସବ’କୁ ନେଇ ଖୁସି ପ୍ରକାଶ କରିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅତୀତର ଗୌରବକୁ ନେଇ ଗର୍ବ କରିବା ସହ ସେଥିରୁ ପ୍ରେରଣା ନେଇ ବର୍ତ୍ତମାନକୁ ଗଢ଼ିବା ଆବଶ୍ୟକ। ବିଶେଷକରି ଯୁବପିଢ଼ି ସାଧବ ପୁଅଙ୍କ ସାହସ, ଦକ୍ଷତା ଓ ଉଦ୍ୟମଶୀଳତାରୁ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିଭଳି ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳ ବ୍ରଜମୋହନ ରାମ ଯୋଗଦେଇ ଜ୍ଞାନ ଓ ଟେକ୍ନୋଲୋଜି ସହ ଯୋଡ଼ି ହେବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ଯୋଗାଯୋଗର ଆଧୁନିକ ମାଧ୍ୟମ ନଥିଲା, ସେତେବେଳେ ଓଡ଼ିଶାର ସାଧବ ପୁଅମାନେ ସମୁଦ୍ର ପାର ହୋଇ ବିଦେଶରେ ବାଣିଜ୍ୟ କରୁଥିଲେ। ଏହା ଓଡ଼ିଶାର ସମୃଦ୍ଧ ଇତିହାସର ପ୍ରମାଣ। ଆଜିର ଯୁବପିଢ଼ି ଜ୍ଞାନ, ବିଜ୍ଞାନ ଓ ଟେକ୍ନୋଲୋଜି ସହ ଯୋଡ଼ି ହୋଇ ଦେଶର ବିକାଶରେ ଭାଗୀଦାର ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ବିକଶିତ ଭାରତ ଗଠନ ଆମର ଜାତୀୟ ଲକ୍ଷ୍ୟ। ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ସୁଦୃଢ଼ ରହିଛି। ଏଥିସହ ଓଡ଼ିଶା ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଭା ହେବା ଓ ଅଧିକ ନିବେଶ ଆକର୍ଷଣ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଉଦ୍ୟୋଗୀ, କାରିଗର, ବୁଣାକାର ଓ ଯୁବପିଢ଼ିଙ୍କ ଅବଦାନ “ବିକଶିତ ଓଡ଼ିଶା’ ଗଠନରେ ସହାୟକ ହେବ ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ଯୋଗଦେଇ କଟକର ବିକାଶ ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି। ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର କରାଯାଇ ଏହାକୁ ୬୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଷ୍ଟାଡିୟମରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ବହୁ ପ୍ରତୀକ୍ଷିତ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ଖୁବଶୀଘ୍ର ଶିଳାନ୍ୟାସ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ “ବିକାଶ ସହ ବିରାସତ’ ମନ୍ତ୍ର ଆଜି ବାଲିଯାତ୍ରାରେ ପ୍ରତିଫଳିତ ହେଉଛି। ବାର୍ଲି ଦ୍ୱୀପରେ ମଧ୍ୟ “ଓଡ଼ିଶା ପରବ’ ଆୟୋଜିତ ହେଉଛି। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଯୋଗ ଦେଇଛନ୍ତି। ଏହା ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସହାୟକ ହେବ। ବାଲିଯାତ୍ରା ମହୋତ୍ସବ ଏଥର କେବଳ ଅତୀତର ଗୌରବକୁ ମନେ ପକାଇବାରେ ସୀମିତ ନାହିଁ। ଐତିହ୍ୟର ସୁରକ୍ଷା ସହ ଆଧୁନିକ ଜ୍ଞାନ, ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ଆଗକୁ ବଢ଼ିବାର ବାର୍ତ୍ତା ଦେଇଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Slider ଦେଶ ବିଦେଶ ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ