ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଅକଭାନ, ୨ ଘଣ୍ଟା ଯାଏଁ ଚାଲିବ ପ୍ରକ୍ରିୟା, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଅକଭାନ, ୨ ଘଣ୍ଟା ଯାଏଁ ଚାଲିବ ପ୍ରକ୍ରିୟା, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଅକଭାନ, ୨ ଘଣ୍ଟା ଯାଏଁ ଚାଲିବ ପ୍ରକ୍ରିୟା, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା
– ପୁରୀ ବେଳାଭୂମିରେ ବାଜିଲା ସାଇରନ
– ୭ଟି ଜିଲ୍ଲାର ୯୪୯ଟି ଭୂ-ସ୍ଖଳନ ପ୍ରବଣ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର
– ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ

akvan
@ଭୁବନେଶ୍ୱର (ଏନ୍‌.ଏମ୍‌.): ଲ୍ୟଣ୍ଡଫଳ ପ୍ରକ୍ରିୟା ଆରମ୍ଭ କରିଛି ବାତ୍ୟା ଅକଭାନ। ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା। ୨ ଘଣ୍ଟା ଯାଏଁ ଚାଲିବ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଦିନ ୧୧ଟା ସୁଦ୍ଧା ଅକଭାନ୍ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ପାଇଁ ପୁରୀ ବେଳାଭୂମିରେ ସାଇରନ୍ ବାଜିଛି। ତୁରନ୍ତ ବେଳାଭୂମି ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ଅପିଲ୍ କରାଯାଇଛି। ଅଗ୍ନିଶମ ଏବଂ ଲାଇଫ୍ ଗାର୍ଡ ଟିମ୍ ମାଇକ୍ ଯୋଗେ ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ସମୁଦ୍ର ତଟ ଛାଡ଼ିବାକୁ ବାଧ୍ୟ କରାଯାଉଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏବେସୁଦ୍ଧା ୩୦ ଜିଲ୍ଲାରୁ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୭ଟି ଜିଲ୍ଲାର ୯୪୯ଟି ଭୂ-ସ୍ଖଳନ ପ୍ରବଣ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ତେବେ ବାତ୍ୟା ଅକଭାନ ଗୋପାଳପୁର ଠାରୁ ୬୦କିମି, କଳିଙ୍ଗପାଟନମ ଠାରୁ ୮୦କିମି, ପୁରୀ ଠାରୁ ୧୬୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିଥିବା ପାଣିପାଗ ବିଭାଗ କରିଛି। ତେଣୁ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ରହିବାର ପୂର୍ବାନୁମାନ କରାଯାଇଛି। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏପର୍ଯ୍ୟନ୍ତ ଗୋପାଳପୁରରେ ସର୍ବାଧିକ ବର୍ଷା ୧୮୯.୬ମିମି ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ଠାରେ ୧୧୪ ମିମି, ପାରାଦୀପରେ ୯୩ ମିଲିମିଟର, ପୁରୀରେ ୭୯ ମିଲିମିଟର, ରାଜନଗରରେ ୮୨ ମିଲିମିଟର, ପଟ୍ଟାମୁଣ୍ଡାଇରେ ୭୬ ମିଲିମିଟର, ଜି. ଉଦୟଗିରିରେ ୭୫ ମିଲିମିଟର, ରାଜକନିକାରେ ୭୦ ମିଲିମିଟର ଏବଂ ଆଳିରେ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତେବେ ଲ୍ୟାଣ୍ଡଫଲ୍ ପରେ ପରେ ବାତ୍ୟା ଖୁବ ଶୀଘ୍ର ଦୁର୍ବଳ ହୋଇଯିବ। ପବନର ବେଗ ୫୦ରୁ ୬୦ କିମିକୁ ଖସିଯିବ। ମାତ୍ର ବୃଷ୍ଟିପାତ ବୃଦ୍ଧି ପାଇବ। ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ହେବ। ସେହିଭଳି ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଭଦ୍ରକ, କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବାକି ସମସ୍ତ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ