ବିଧାନସଭାରେ ସୌଭିକଙ୍କ ପ୍ରଶ୍ନର ଉତ୍ତର
ରାଜ୍ୟର ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ: ଖଣିମନ୍ତ୍ରୀ

@ଭୁବନେଶ୍ୱର(ଏନ୍.ଏମ୍.) : ଦେଶରେ ବୈଭବ ଓ ପ୍ରାଚୁଜ୍ୟରେ ଭରା ଓଡ଼ିଶା ଏବେ ପଛୁଆ ରହି ଯାଇଛି। ବର୍ଷ ବର୍ଷ ଧରି ଓଡ଼ିଶାର ପ୍ରାଚୁଜ୍ୟକୁ ଅଣଦେଖା କରାଯାଇଥିବାବେଳେ ଏହି ମାଟିରେ ରହିଥିବା ଦୁର୍ଲଭ ଖଣିଜ ପଦାର୍ଥକୁ ଶାଗମାଛ ଦରରେ ବିକ୍ରି କରାଯାଇଛି। ତଥାପି ଓଡ଼ିଶାର ମାଟି, ପାଣି ପବନକୁ ଚିହ୍ନିବା କଷ୍ଟକର ବ୍ୟାପାର। ଯେଉଁ ରାଜ୍ୟକୁ ସବୁବେଳେ ଅଣଦେଖା କରାଯାଉଥିବା ଏବେ ଦେଶ ପାଇଁ ପୂର୍ବ ଦିଗରୁ ହିଁ ସୂର୍ଯ୍ୟୋଦୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ଦେଶର ପ୍ରଗତିର ସୂର୍ଯ୍ୟ ପୂର୍ବଦିଗରୁ ଆରମ୍ଭ ହେବ। ଆଉ ପୂର୍ବ ଦିଗରେ ରହିଛି ଓଡ଼ିଶା। ଆଜି ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି। ରାଜ୍ୟର ୩ଟି ଜିଲ୍ଲାରେ ସୁନାଖଣିର ସନ୍ଧାନ ମିଳିଥିବା ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ସୁନା ଖଣିର ସନ୍ଧାନ ପାଇଛନ୍ତି ରାଜ୍ୟ ସରକାର। କେନ୍ଦୁଝର ଜିଲ୍ଲାର ଗୋପୁର – ଜଳଡିହାରେ ୧୯୧.୦୬ କେଜି, ମୟୂରଭଞ୍ଜ ଜିଲ୍ଲାର ମଦନ ସାହି – କଞ୍ଜିଆ ଠାରେ ୧୪୬୨.୭୩ କେଜି ଓ ଦେବଗଡ଼ର ଅଡ଼ଶ ଠାରେ ୧୬୮୫ କେଜି ସୁନା ମହଜୁଦ ଅଛି । ୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ଅଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେହିଭଳି ଦେବଗଡ଼ ଓ ସୁନ୍ଦରଗଡ଼ରେ ଅଛି ରୂପା ଖଣି। ଦେବଗଡ଼ ଜିଲ୍ଲାର ଅଡ଼ଶ ଠାରେ ୦.୬୩୮ ମେଟ୍ରିକ୍ ଟନ୍, ସୁନ୍ଦରଗଡ଼ର ସରଗିପାଲି ଠାରେ ୧.୭୪୯ ମେଟ୍ରିକ୍ ଟନ୍ ରୂପା ମହଜୁଦ୍ ଅଛି। ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୂପା ମହଜୁଦ ଅଛି। ରାଜ୍ୟର କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟ ବା ରୁବି ଖଣିର ସନ୍ଧାନ ମିଳିଛି। କଳାହାଣ୍ଡି ଜିଲ୍ଲାର ଜିଲିଙ୍ଗଧର – ହିଞ୍ଜିଲିବାହାଲ ଠାରେ ୫ ହଜାର ୩୪୯ କେଜି ମାଣିକ୍ୟ ପଥର ଗଚ୍ଛିତ ଥିବା ସୂଚନା ମିଳିଛି। ଏ ସନ୍ଧାନ ପାଇବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ଏ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

