ଓଡ଼ିଶା ପାଇଁ ବିପଦ, ବାତ୍ୟା ଅକଭାନ୍ ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଓଡ଼ିଶା ପାଇଁ ବିପଦ, ବାତ୍ୟା ଅକଭାନ୍ ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଓଡ଼ିଶା ପାଇଁ ବିପଦ, ବାତ୍ୟା ଅକଭାନ୍ ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

whatsapp image 2026 11 18 at 2.47.27 pm

@ଭୁବନେଶ୍ୱର (ଏନ୍‌.ଏମ୍‌.) : ଅକଭାନ୍ କୁ ନେଇ ବଡ଼ ଅପଡେଟ୍ , ଓଡ଼ିଶା ପାଇଁ ବଢିଲା ବିପଦ । ସମୁଦ୍ରରେ ବଳ ଗୋଟାଇ ମନ୍ଥର ଗତିରେ ସ୍ଥଳଭାଗ ମୁହାଁ ଅକଭାନ୍ । ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା କରିଛି ପାଣିପାଗ ବିଭାଗ । ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ଆସିପାରେ ବାତ୍ୟା ଅକଭାନ୍ । ଘଣ୍ଟାକୁ ୭ କିମି ବେଗରେ ଆଗକୁ ବଢୁଛି ଅକଭାନ୍ । ଆଇଏମଡିର ତାଜା ଆକଳନ ଅନୁଯାୟୀ, ବାତ୍ୟା ଅକଭାନ୍ ଏବେ ଗୋପାଳପୁର ଠାରୁ ୭୧୦ କିମି ଓ ପୁରୀଠାରୁ ୭୭୦ କିମି ଦୂରରେ ରହିଛି । ବିଶାଖାପାଟଣା ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେହିପରି ମଚ୍ଛଲିପଟନମ୍ ଠାରୁ ୫୯୦ କିମି ଏବଂ ତ୍ରିଙ୍କୋମାଲି ଠାରୁ ୬୬୦ କିମି ଦୂରରେ ରହିଛି ବାତ୍ୟା । ବର୍ତ୍ତମାନର ଗତିପଥ ଅନୁସାରେ ବାତ୍ୟା ‘ଅକଭାନ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ । ଏହା ୨୦ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ ସମୟରେ ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ ଭାବେ ରହିବ । ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ । ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟନ ବନ୍ଦ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ହୋଟେଲ, ରିସର୍ଟ ଓ ଟୁର ଅପରେଟରମାନେ ଅତିଥିମାନଙ୍କୁ ସତର୍କ କରାଇବା ସହ ବାହାରକୁ ବୁଲିବା କାର୍ଯ୍ୟକ୍ରମ ବାତିଲ କରିବେ । ଏହା ସହ ସ୍ଥାନାନ୍ତର କିମ୍ବା ଆଶ୍ରୟସ୍ଥଳୀ ସମ୍ବନ୍ଧୀୟ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବା ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ମାଧ୍ୟମ ଏବଂ ପର୍ଯ୍ୟଟନ ପ୍ରତିଷ୍ଠାନଗୁଡ଼ିକ ଜରିଆରେ ବିଭିନ୍ନ ଭାଷାରେ ସ୍ପଷ୍ଟ ସୁରକ୍ଷା ପରାମର୍ଶବଳୀ ପ୍ରଚାର କରାଯିବ । ଏହା ସହିତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ସହ ନିରନ୍ତର ସମନ୍ୱୟ ରଖାଯିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ ସମସ୍ୟା ଏବଂ ଦୃଶ୍ୟମାନତା ହ୍ରାସ ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ଓ ମାଲବାହୀ ଯାନବାହନର ନିରାପଦ ଚଳାଚଳ, ବିଶେଷକରି ରାତ୍ରିକାଳୀନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଜରୁରୀକାଳୀନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ