ଅବ୍ୟବସ୍ଥାରେ ରହିଛି ପଞ୍ଚାୟତରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା
@ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ବିକାଶ (ଆରଡି)ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ତେବେ ବିଭାଗୀୟ ଅବହେଳା ପାଇଁ ଏହି ପଞ୍ଚାୟତର ହଜାର ହଜାର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ଦାବି ଉଠାଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଶୀତଳ ଭଣ୍ଡାରରେ ପଡ଼ି ରହିଛି ଏହି ରାସ୍ତାର ଭାଗ୍ୟ। ସୂଚନା ଅନୁଯାୟୀ ଅତୀତର କଟକ–ସମ୍ବଲପୁର ପୁରୁଣା ରାସ୍ତା ଏହି ପଞ୍ଚାୟତ ଦେଇ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୪୨ ନମ୍ବର ନୂଆ ରାଜପଥ ନିର୍ମାଣ ହେଲା ଯାହା ଏବେ ୫୫ନମ୍ବର ଜାତୀୟ ରାଜପଥର ମାନ୍ୟତା ପାଇଛି। ତେବେ ଏହି ପଞ୍ଚାୟତର ସିମିଳିହାଣ୍ଡ ଗ୍ରାମର ଭୂଆଷୁଣୀ ଛକ ସ୍ଥିତ ପୁରୁଣା କଟକ-ସମ୍ବଲପୁରୁ ରାସ୍ତାରୁ ନୂଆ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ୧୯୭୫ ମସିହାରେ ଏକ ଦଣ୍ଡାକୁ ରାସ୍ତା ଭାବେ ବିକଶିତ କରାଯାଇଥିଲା। ତେବେ ଏହି ରାସ୍ତା ଏବେ ଦୟନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ଉନ୍ନତିକରଣ କରାଯାଉ ନାହିଁ। ଗ୍ରାମର ଭୁଆସୁଣୀ ମନ୍ଦିର ଠାରୁ ୧ କିମି ୬୬ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାଟି ଯାହା ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଯେତେବେଳେ ଜାତୀୟ ରାଜପଥରେ କୌଣସି ଦୁର୍ଘଟଣା ଯୋଗୁଁ ରାସ୍ତା ଠପ ହୋଇଯାଏ ସେତେବେଳେ ସମସ୍ତ ଯାନବାହନ ଏହି ରାସ୍ତା ଦେଇ ଚୌଦ୍ୱାର ଧୁମାବତୀ ଛକ ନିକଟରେ ବାହାରିଥାନ୍ତି। ଏହି ରାସ୍ତାର ଯଥେଷ୍ଟ ଗୁରୁତ୍ୱ ଥିଲେ ମଧ୍ୟ ସରକାରୀସ୍ତରରେ ଏଥିପ୍ରତି ଦୃଷ୍ଟି ଦିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖା ଦେଉଛି। ଏପରିକି ରାସ୍ତାରେ ପଡ଼ିଥିବା ଗୋଡ଼ି, ବଜୁରୀ ସହ ଧୁଳି ଉଠିଯିବା ଯୋଗୁଁ ରାସ୍ତା ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ହୋଇ ପଡ଼ିଛି। ଅସରାଏ ବର୍ଷା ହେଲେ ରାସ୍ତାର ଖାଲଖମାରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକ ଓ ସାଧାରଣ ଯାତ୍ରୀଙ୍କ ସମେତ ଗ୍ରାମବାସୀମାନଙ୍କ ପାଇଁ ରାସ୍ତାରେ ଯିବାଆସିବା ବଡ଼ କଷ୍ଟକର ହେଉଛି। ଯାହା ଫଳରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ନଜୀର ରହିଛି। ଅନ୍ୟପକ୍ଷରେ, ଏହି ରାସ୍ତାର ପ୍ରଶସ୍ତିକରଣ ଓ ଡ୍ରେନ୍ ନିର୍ମାଣ ନେଇ ମଧ୍ୟ ଦାବି ଉଠୁଛି। ରାସ୍ତାର କିଛି ଅଂଶରେ ପିଚୁ ପଡ଼ିଥିବା ବେଳେ ଅନ୍ୟ କିଛି ଅଂଶରେ ପିଚୁ ପଡ଼ିନଥିବା ଏବଂ କେତେକ ସ୍ଥାନରେ ପଡିଥିବା ପିଚୁର ମୋଟେଇ କମିଥିବା ନେଇ ଅଭିଯୋଗ ହେଉଛି। ଏହାଦ୍ୱାରା ରାସ୍ତାର ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ସମ୍ପୂର୍ଣ୍ଣତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ରାସ୍ତା ଉନ୍ନତିକରଣ ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିବା ସଫେଇ ଦିଆଯାଉଥିବାବେଳେ ଏହା କେବଳ ଠିକାଦାର ଓ ରାଜନେତାଙ୍କୁ ତୋଷଣ ନିମନ୍ତେ ଅର୍ଥ ବ୍ୟୟ କରାଯାଇଥିବା କୁହାଯାଉଛି। ତେଣୁ ଗ୍ରାମୀଣ ବିକାଶ ବିଭାଗ ଏହି ରାସ୍ତା ନିର୍ମାଣ ନେଇ ସରକାରୀ ଅର୍ଥ ବାଟମଣା କରିଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି। ଦୀର୍ଘ ବର୍ଷ ଧରି ଏହି ରାସ୍ତାର ଅବସ୍ଥା ସୁଧୁରିନଥିବାବେଳେ ଆରଡ଼ି ବିଭାଗ କେବେ ଏହି ରାସ୍ତା ସମସ୍ୟାର ସମାଧାନ କରିବ ତାହା ସମୟକୁ ଅପେକ୍ଷା।

