ଧବଳେଶ୍ୱର ପୀଠରେ ପଞ୍ଚୁକ ଯାତ୍ରା ଓ ବଡ଼ଓଷା ଲାଗି ପ୍ରଶାସନିକ ସମୀକ୍ଷା ବୈଠକ

@ଚୌଦ୍ୱାର(ଏନ୍.ଏମ୍.): ଓଡ଼ିଶାର ତଥା କଟକ ଜିଲ୍ଲାର ପ୍ରଖ୍ୟାତ ଶୈବପୀଠ ବାବା ଧବଳେଶ୍ୱର ନିକଟରେ ଆଗାମୀ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ ନେଇ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସୁବିଧା ନିମନ୍ତେ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀ ଯୋଗଦେଇ ପୀଠରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟାତ ଓ ଭିଡ଼ ନିୟନ୍ତ୍ରଣ ନିମନ୍ତେ ବ୍ୟାରିକେଡ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ପାର୍କିଂ ସ୍ଥଳରୁ ପୀଠ ପର୍ଯ୍ୟନ୍ତ ଯାତାୟାତ ସୁବିଧା ପାଇଁ ୧୨ଟି ବିଓଭି ଓ ଇଭି ଯାନ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଶୌଚାଳୟ ସୁବିଧା ପାଇଁ ଆରଡବ୍ଲ୍ୟୁଏସ୍ଏସ୍ ପକ୍ଷରୁ ୪୦ଟି ଶୌଚାଳୟ, କେଏମ୍ସି ପକ୍ଷରୁ ଅତିରିକ୍ତ ୫୫ଟି ମୋବାଇଲ୍ ଶୌଚାଳୟ ଯୋଗାଦିଆଯିବା ସମ୍ପର୍କରେ ସୂଚନା ଦିଆଯାଇଛି। ପୁନଶ୍ଚ ପୀଠରେ ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏଥିସହିତ ଶ୍ରଦ୍ଧାଳୁଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୩ଟି ମେଡିକାଲ୍ ଟିମ୍ ଓ ୩ଟି ଆମ୍ବୁଲାନ୍ସ ନିୟୋଜିତ ରହିବ। ଏଥିସହ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବିଭାଗକୁ ମୁତୟନ କରାଯିବ। ଏଥିପାଇଁ ୨୫ ଜଣ ଅଗ୍ନିଶମ କର୍ମଚାରୀ, ଅଗ୍ନିଶମ ଗାଡ଼ି ଓ ଉଦ୍ଧାରକାରୀ ଡଙ୍ଗା ସଜାଗ ରହିବ। ଜନସୁରକ୍ଷା ଦୃଷ୍ଟିରୁ ଝୁଲାପୋଲ ଆୟୋଜନକୁ ନିଷିଦ୍ଧ କରାଯାଇଛି। ଏ ସମ୍ପର୍କରେ (ବିଏନ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ ନିର୍ଦ୍ଦେଶ ଜାରି କରାଯାଇଛି। ଏହାବ୍ୟତୀତ କଂକ୍ରିଟ ସେତୁ ଉପରେ ଷ୍ଟିଲ୍ ହ୍ୟାଙ୍ଗର୍ ସ୍ଥାପନର ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ୍ ବ୍ୟବହାର ନିୟନ୍ତ୍ରଣ, ସ୍ୱଚ୍ଛତା ରକ୍ଷା ଓ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ ନିମନ୍ତେ ଆଠଗଡ଼ ଏନ୍ଏସି, ଯୋଗାଣ ବିଭାଗ ଓ କେଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଟିମ୍ ନିୟୋଜିତ ହେବେ। ପର୍ବ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଯାତାୟାତ ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଶ୍ରଦ୍ଧାଳୁମାନେ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପର୍ବରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

