ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି
କଡ଼ା ସୁରକ୍ଷା, ପଡ଼ିଆରେ ରହିବେ ୧୦୦ ପ୍ଲାଟୁନ୍ ଫୋର୍ସ
@କଟକ(ଏନ୍.ଏମ୍.): କଟକର ଐତିହାସିକ ବାଲିଯାତ୍ରା ଆଉଏକ ଇତିହାସ ଯୋଡ଼ୁଛି। ଚଳିତ ବର୍ଷ ଏହି ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ମହାମହିମଙ୍କ ଗସ୍ତରେ ସୁରକ୍ଷାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଉଛି। ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। ସେହିପରି ପ୍ରାୟ ୧ହଜାର ଅଧିକାରୀ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ। ମହାମହିମଙ୍କ ଗସ୍ତ ସୁରକ୍ଷା ‘ବ୍ଲୁ ବୁକ୍’ ଅନୁସାରେ କରାଯାଉଛି। ପ୍ରାଥମିକ ସୂଚନା ଅନୁସାରେ, ରାଷ୍ଟ୍ରପତି କଟକରେ ପ୍ରାୟ ୩ ଘଣ୍ଟା ରହିପାରନ୍ତି। ରାଜ୍ୟ ପୁଲିସ ଓ ଏସ୍ପିଜି (ସ୍ପେସାଲ୍ ଅପରେସନାଲ୍ ଗ୍ରୁପ୍) ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା ଚୂଡ଼ାନ୍ତ କରୁଛନ୍ତି। କଟକ ବାଲିଯାତ୍ରା ଇତିହାସରେ ପ୍ରଥମ ଥର ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ମହାମହିମ ଭୁବନେଶ୍ୱରରେ ପହଞ୍ଚିବା ପରେ କାର୍ ଯୋଗେ କଟକ ସିଲଭର ସିଟି ବୋଟ୍ କ୍ଲବରେ ପହଞ୍ଚିବେ। ସମ୍ଭବତଃ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ରାଷ୍ଟ୍ରପତି ବୋଟ୍ ଯୋଗେ ବାଲିଯାତ୍ରା ପଡ଼ିଆ ପାଖରେ ପହଞ୍ଚିବେ। ‘କଟକ ଇନ୍ କଟକ’ ହୋଇ ସେ ମଞ୍ଚରେ ପହଞ୍ଚିବେ। ସେଠାରେ କାର୍ଯ୍ୟକ୍ରମ ଉଦ୍ଘାଟନ କଲା ପରେ ମେଳା ପଡ଼ିଆ ବୁଲିବାର କାର୍ଯ୍ୟକ୍ରମ ରହିଛି। ଫେରିବା ପାଇଁ ଗ୍ରୀନ୍ କରିଡର କରାଯାଇଛି। ଏଥିସହିତ ଏକ ବିକଳ୍ପ ରାସ୍ତା ଭୁବନେଶ୍ୱର ପର୍ଯ୍ୟନ୍ତ ରଖାଯିବ। ସମ୍ଭବତଃ ବେଲ୍ ଭ୍ୟୁ ଛକ-ବାରଙ୍ଗ ଛକ ରାସ୍ତାକୁ ରିଜର୍ଭ ରଖାଯିବ। ଉଭୟ ରୁଟ୍ ବୁଝିବା ପାଇଁ ଜଣେ ଏସ୍ପି ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ରୁଟ୍ ଲାଇନିଂ ପାଇଁ ପ୍ରାୟ ୧୫ ପ୍ଲାଟୁନ୍ ଫୋର୍ସ ରହିବେ। ଭୁବନେଶ୍ୱର ଟାଉନ୍ ଟ୍ରାଫିକ୍ ଥାନା, ଜାତୀୟ ରାଜପଥ ଟ୍ରାଫିକ୍ ଓ କଟକ ସହର ଟ୍ରାଫିକ୍ ଥାନା ଦାୟିତ୍ୱରେ ରୁଟ୍ ଲାଇନିଂ ବା ରାସ୍ତାର ସୁରକ୍ଷା ଦାୟିତ୍ୱ ରହିବ। ଗସ୍ତ ସମୟ ଅପରାହ୍ନ ଓ ସନ୍ଧ୍ୟା ମଝିରେ ଥିବାରୁ ରାସ୍ତାରେ ଅଧିକ ଭିଡ଼ ରହିବ। ତେଣୁ କିଛି ରାସ୍ତାରେ ଟ୍ରାଫିକ୍ ଡାଇଭର୍ଟ କରାଯିବ। ସିଲଭରସିଟି ବୋଟ୍ କ୍ଲବ୍, ‘କଟକ ଇନ୍ କଟକ’ ପାଖ ଓ ମଞ୍ଚ ପାଖରେ ତିନିସ୍ତରର ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରଥମସ୍ତର ବା ରାଷ୍ଟ୍ରପତିଙ୍କ ପାଖର ପ୍ରଥମ ସୁରକ୍ଷା ଘେରା ଏସ୍ପିଜି କମାଣ୍ଡୋଙ୍କ ପାଖରେ ରହିବ। ଦୁଇଟି ସ୍ତରର ସୁରକ୍ଷା ରାଜ୍ୟ ପୁଲିସ ବା କମିସନରେଟ୍ ପୁଲିସ ପାଖରେ ରହିବ। ମଞ୍ଚକୁ ଯିବା ପାଇଁ ଖୁବ୍ କମ୍ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ। ଖୋଲା ପଡ଼ିଆରେ କାର୍ଯ୍ୟକ୍ରମ ହେଉଥିବାରୁ ସୁରକ୍ଷାକୁ ଦୁଇ ଗୁଣା କରାଯାଉଛି । ୱାଚ୍ ଟାୱାର ଓ ଡ୍ରୋନ୍ ଯୋଗେ ପୁଲିସ ନଜର ରଖିବ। ସାଧାରଣ ଲୋକଙ୍କ ଡ୍ରୋନ୍ ଉଡ଼ା ଉପରେ କଟକଣା ରହିବ। କାର୍ଯ୍ୟକ୍ରମ ଆରମ୍ଭର ଘଣ୍ଟାଏ ପୂର୍ବରୁ ଓ କାର୍ଯ୍ୟକ୍ରମ ଶେଷର ଘଣ୍ଟାଏ ପରେ କଟକ ସହରକୁ ନୋ ଫ୍ଲାଇଙ୍ଗ୍ ଜୋନ୍ କରାଯିବ ଅର୍ଥାତ୍ କୌଣସି ହେଲିକପ୍ଟର ଓ ଉଡ଼ାଜାହାଜ କଟକ ଉପର ହୋଇ ଉଡ଼ିବନି। ସୁରକ୍ଷା ପାଇଁ ପଡ଼ିଆରେ ୧୦୦ ପ୍ଲାଟୁନ୍ ଫୋର୍ସ ବା ପ୍ରାୟ ୩ ହଜାରରୁ ୩୨ ଶହ ସିପାହୀ ରହିବେ। ଏଥିରେ ଅଛନ୍ତି ରିଜର୍ଭ ସିପାହୀ, ଷ୍ଟୁ (ସ୍ପେସାଲ୍ ଟାକ୍ଟିକାଲ୍ ୟୁନିଟ୍), ଏସ୍ଓଜି ଭଳି ଦକ୍ଷ ପୁଲିସ ବାହିନୀ। ଏହାବାଦ୍ ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡକୁ ଅଧିକ ସଂଖ୍ୟାରେ ପଡ଼ିଆରେ ନିୟୋଜିତ କରାଯିବ। ପଡ଼ିଆ ଭିତରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ପ୍ରାୟ ୧ ହଜାର ଅଧିକାରୀ ରହିବେ। ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହିବେ। ସୁରକ୍ଷା ନେଇ ଗୁରୁବାର ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ କିଛି ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏନେଇ ଏସ୍ପି (ସିକ୍ୟୁରିଟି) ଙ୍କ ପକ୍ଷରୁ ସମନ୍ୱୟ ରଖାଯାଉଛି। ମହାମହିମଙ୍କ ଗସ୍ତ ସୂଚୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ଶନିବାର ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

