ବାଲିଯାତ୍ରା ଦୋଳି ଦୁର୍ଘଟଣା ଘଟଣା: କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓଡ଼ିଶା ଜନତା କଂଗ୍ରେସ

@କଟକ(ଏନ୍.ଏମ୍.): ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଓ ଦୁଇଜଣ ଦେଖଣାହାରୀ ଆହତ ହେବା ଘଟଣାକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡିଶା ଜନତା କଂଗ୍ରେସ କଟକ ସହର ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଏନେଇ କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦଳ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ଦୋଳି ପରିଚାଳନାରେ ଓଭରଲୋଡିଂ ଏବଂ ସୁରକ୍ଷା ବ୍ୟବସ୍ଥାର ଘୋର ଅଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଗଣମାଧ୍ୟମରୁ ଜଣାପଡ଼ୁଛି। ଏହାସହ ବାଲିଯାତ୍ରା ଆରମ୍ଭରୁ ମହାନଦୀରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ଦୋଳି ଦୁର୍ଘଟଣା ପ୍ରଶାସନର ସୁରକ୍ଷା ପରିଚାଳନାଗତ ବିଫଳତାକୁ ପଦାରେ ପକାଇଥିବା ଦଳ ଅଭିଯୋଗ କରିଛି। ଏହି ଘଟଣାରେ କୌଣସି ପ୍ରଶାସନିକ ଚାପର ବଶବର୍ତ୍ତୀ ନହୋଇ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ କରାଯିବା ସହ ମୃତ ଯୁବକଙ୍କ ସଠିକ୍ ପରିଚୟ ତୁରନ୍ତ ସାର୍ବଜନୀନ କରିବାକୁ ଦଳ ଦାବି କରିଛି। ଏହାସହ ଫିଟନେସ୍ ସାର୍ଟିଫିକେଟ୍ ଯାଞ୍ଚ ନକରି ଓଭରଲୋଡିଂ କରି ଦୋଳି ଚଳାଉଥିବା ମାଲିକ ଏବଂ ଏଥିରେ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏଥିସହିତ ମୃତ ଯୁବକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ ସରକାରୀ ଆର୍ôଥକ ସହାୟତା ପ୍ରଦାନ କରାଯିବା ସହ ଆହତମାନଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଦଳ ଅନୁରୋଧ କରିଛି। ବାଲିଯାତ୍ରାରେ ଚାଲୁଥିବା ସମସ୍ତ ଦୋଳି ଓ ମନୋରଞ୍ଜନ ଉପକରଣର ବୈଷୟିକ ସୁରକ୍ଷା ଯାଞ୍ଚ କରାଯିବା ଏବଂ ଭି.ଆଇ.ପି.ସୁରକ୍ଷା ପରିବର୍ତ୍ତେ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ କରିବାକୁ ମଧ୍ୟ ଦାବି କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ, ଆଗାମୀ ଦିନରେ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଦଳ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଅଜିତ କୁମାର ବେହେରା, ପ୍ରତାପ ଚନ୍ଦ୍ର ପରିଡା ଓ ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ଦେବୀ ପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

