ଚାକିରୀ କରାଇଦେବା ବାହାନାରେ ମହିଳାଙ୍କୁ ପାଶବିକ ଅତ୍ୟାଚାର ଅଭିଯୋଗ: ୨ଗିରଫ

@ଚୌଦ୍ୱାର(ଏନ୍.ଏମ୍.): ଜଣେ ମହିଳାଙ୍କୁ ଏକ ଘରୋଇ ଚାକିରିର ପ୍ରଲୋଭନ ଦେଖାଇ ତାଙ୍କୁ ପାଶବିକ ଅତ୍ୟାଚାର କରାଯିବା ଭଳି ସଂଗୀନ ଅଭିଯୋଗ ଚୌଦ୍ୱାର ଥାନାରେ ହୋଇଛି। ଏହି ଅଭିଯୋଗକୁ ପୁଲିସ ଗୁରୁତର ସହ ନେଇ ଚୌଦ୍ୱାର ଥାନା କେସ ନମ୍ବର ୭୯୨/୨୦୨୬ ରୁଜ୍ଜୁ କରି ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲଣ କରାଯାଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ୩୦ ବର୍ଷୀୟା ମହିଳା ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ଦର୍ଶାଯାଇଛି ଯେ, ସରୋଜିନୀ ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରୋଇ ଚାକିରିର ପ୍ରଲୋଭନ ଦେଖାଇ ନିଜ ସାଥିରେ ନେଇଯାଇଥିଲେ। ଏହା ପରେ ଏକାଧିକ ବ୍ୟକ୍ତିଙ୍କ ଦ୍ୱାରା ବାରମ୍ବାର ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ, ଯୌନ ଶୋଷଣ ଉଦ୍ୟମ କରାଯାଇଥିଲା। ଏଥି ସହିତ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା ସହ ହତ୍ୟା ଉଦ୍ୟମ କରାଯାଇଛି। ଏହି ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା-୬୪(୨)(ଏମ)/୭୪/୭୬/୧୧୫(୨)/୧୦୯(୧)/୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୌଦ୍ୱାର ପୋଲିସ୍ ୨୮ତାରିଖରେ ଦିଲୁ ଓରଫ ଟିଲୁ ଓରଫ ଚିନ୍ମୟ ରାଉତ ଏବଂ ସରୋଜିନୀ ପଣ୍ଡା ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଚୌଦ୍ୱାର ଥାନା ଅଧିକାରୀ ଡକ୍ଟର ବିକାଶ ସେଠୀ ସୂଚନା ଦେଇଛନ୍ତି।

