ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ, ୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

@କଟକ(ଏନ୍.ଏମ୍.): ରାଜ୍ୟରେ ବଢ଼ିଚାଲିଛି ଦୁର୍ନୀତି। ଏବେ ମୋଟା ଅଙ୍କର ବେତନ ପାଉଥିବା ସରକାରୀ କର୍ମଚାରୀ ଲାଞ୍ଚ କାରବାରରେ ଛନ୍ଦି ହେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବୈବସ୍ୱତମନୁ ରାଉତ। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ପିଏମଏୱାଇ-ଅର୍ବାନ ଯୋଜନା ଅଧୀନରେ ବାକି ଟଙ୍କା ମଞ୍ଜୁର କରାଇଦେବା ପାଇଁ ଲାଞ୍ଚ ନେଉଥିଲେ ଏହି କର୍ମଚାରୀ। ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ “ଇନଫ୍ରାଷ୍ଟ୍ରକଚର୍ ଏକ୍ସପର୍ଟ’ ଭାବେ କାର୍ଯ୍ୟରତ ବୈବସ୍ୱତମନୁ ରାଉତ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ମୋଟ ଅଢେଇ ଲକ୍ଷ ଟଙ୍କାରୁ ବାକି ଥିବା ୧ଲକ୍ଷ,୩୦ହଜାର ଟଙ୍କା ପ୍ରଦାନ କରାଇଦେବା ପାଇଁ ସେ ଜଣେ ହିତାଧିକାରୀଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହିତାଧିକାରୀ ଜଣଙ୍କ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଅଭିଯୁକ୍ତ ବାକି ଟଙ୍କା ମଞ୍ଜୁର କରୁନଥିଲେ। ଏହା ବଦଳରେ, ସେ ୩୦ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଜଣେ ଗରିବ ଆଦିବାସୀ ଏବଂ ଉକ୍ତ ଆବାସ ଯୋଜନାର ହିତାଧିକାରୀ ହୋଇଥିବାରୁ, ସେ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ। ହେଲେ ବାକି ଟଙ୍କା ମଞ୍ଜୁର ନହେବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ବୈବସ୍ୱତ ଆଜି ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

