ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ

ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ

ଚୌଦ୍ୱାରରେ ଇମ୍ଫାର ୬୫ତମ ପ୍ରତିଷ୍ଠା ଦିବସ

img 20261127 wa0005@ଚୌଦ୍ୱାର(ଏନ୍ଏମ୍): ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା), ଚୌଦ୍ୱାର ୟୁନିଟ୍ ପକ୍ଷରୁ ଗତ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ କମ୍ପାନୀର ୬୫ତମ ପ୍ରତିଷ୍ଠା ଏବଂ ଇମ୍ଫାର ପ୍ରତିଷ୍ଠାତା ସ୍ୱର୍ଗତ ଡଃ ବଂଶୀଧର ପଣ୍ଡାଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଇମ୍ଫା ଚୌଦ୍ବାରର ଉପସଭାପତି ବିନୟ ଅଗ୍ରୱାଲଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଇମ୍ଫାର ପୂର୍ଣକାଳୀନ ନିର୍ଦ୍ଦେଶକ ତଥା ସିଓଓ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଉତ୍ସବର ପ୍ରାରମ୍ଭରେ ମୁଖ୍ୟ ଅତିଥି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ବିଜ୍ଞାନ ମେଳା ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଅନୁଧ୍ୟାନ କରିଥିଲେ ଏବଂ କମ୍ପାନୀର ୬୫ ବର୍ଷର ଗୌରବମୟ ଇତିହାସ, ସଫଳତା ଓ ବିକାଶର ଧାରାକୁ ଆଲୋକପାତ କରିବା ସହ ମହିଳା କର୍ମଚାରୀଙ୍କ ଦ୍ୱାରା ପରିବେଷିତ ‘ପ୍ରଭା-୬୫’ ଶୀର୍ଷକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଏହି ଅବସରରେ କମ୍ପାନୀରେ ଦୀର୍ଘ ୨୦, ୨୫ ଓ ୩୦ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଇମ୍ଫା ଆଗାମୀ ଦିନରେ ମଧ୍ୟ ନିଜର ଉତ୍ପାଦର ଗୁଣବତ୍ତା ଓ ବିଶ୍ୱସନୀୟତା ବଜାୟ ରଖି ସଫଳତାର ଧାରା ଜାରି ରଖିବ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ଏଥିସହ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କର୍ମଚାରୀ ଏବଂ ବିଜ୍ଞାନ ମେଳାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଇମ୍ଫା ଚୌଦ୍ବାରର ମାନବସମ୍ବଳ ପ୍ରବନ୍ଧକ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଲୋକସମ୍ପର୍କ ପ୍ରବନ୍ଧକ ମାନସ ବସନ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ ପରିବେଷଣ ସହ ଉତ୍ସବର ପରିସମାପ୍ତି ଘଟିଥିଲା।

Slider Uncategorized ପପୁଲାର ନିଓଜ ବାଣିଜ୍ୟ ରାଜ୍ୟ