ଦୀର୍ଘ ୮ବର୍ଷ ପରେ ପୁଣି କଲେଜ ନିର୍ବାଚନ: ନେତୃତ୍ୱରେ ଏବିଭିପି ଆଗରେ

@କଟକ (ଏନ୍.ଏମ୍.): ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ଡିଗ୍ରୀ କଲେଜମାନଙ୍କରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମନରେ ପୁଣି ଜାଗ୍ରତ ହୋଇଛି ଛାତ୍ର ନେତା ହେବାର ଆଶା। ଦୀର୍ଘ ୮ବର୍ଷ ତଳେ ତତ୍କାଳୀନ ସରକାର ଛାତ୍ର ସଂସଦ ନିର୍ବାଚନକୁ ସମ୍ଭାଳିବାରେ ଅକ୍ଷମ ହେବା ଫଳରେ ସମଗ୍ର ରାଜ୍ୟରେ ଏହାକୁ ବନ୍ଦ କରିଦେଇଥିଲେ ବୋଲି ଆଜି ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ଏବେ ପୁଣି ଛାତ୍ରନେତା ତଥା ଭବିଷ୍ୟତର ରାଜନେତା ହେବାର ବାଟ ଉନ୍ମୁକ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଏବେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ, ସ୍ୱୟଂଶାସିତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଛି। ଆସନ୍ତା କାଲି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ଛାତ୍ରନେତା ଏବଂ ରାଜନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ତେବେ ଏହି ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ଏବେ ପ୍ରାର୍ଥୀ ଖୋଜିବାରେ ଲାଗିପଡ଼ିଥିବାବେଳେ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ବିଶେଷ କରି ୮ବର୍ଷ ଭିତରେ ଛାତ୍ର ଶକ୍ତିକୁ ଏକଜୁଟ କରିବାରେ ବିଭିନ୍ନ ରାଜନୈତିକ ଦଳ ବିଫଳ ହୋଇଥିବା ଯୋଗୁଁ ଆଜି ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମସ୍ତ କଲେଜରେ ନିଜର ପ୍ରାର୍ଥୀ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଭଲ ଛାତ୍ର ନେତା ଟିଏ ଗଢ଼ିବା ଆଉ ଭବିଷ୍ୟତରେ ଦେଶ ଚଳାଇବା ପାଇଁ ଏକ ସଫଳ ବ୍ୟକ୍ତିତ୍ୱ ତିଆରିକରିବା ଉଦ୍ଦେଶ୍ୟରେ ଆଜିବି ଏବିଭିପି ନିଜର ଉଦ୍ୟମ ଜାରି ରଖିଥିବା କୁହାଯାଉଛି। ସବୁବେଳେ ଛାତ୍ର ତଥା ଯୁବପୀଢ଼ିକୁ ଗଢ଼ିବା ପାଇଁ ଏବିଭିପି ଉଦ୍ୟମ କରୁଥିବା ଏବିଭିପି କର୍ମକର୍ତ୍ତା ବୈଲୋଚନ ସାହୁ ପ୍ରକାଶ କରିଛନ୍ତି। ଆଜିବି ଛାତ୍ର ସଂସଦ ନିର୍ବାଚନ ଏବିଭିପି ହାତରେ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି। ରେଭେନ୍ସା ସହିତ ଚୌଦ୍ୱାର କଲେଜ, ଜଗତପୁର ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ, ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଦି ଅନେକ କଲେଜରେ ଏବିଭିପି ଆଗରେ ରହିଥିବା ଦେଖିବାକୁ ମିଳିଛି। ତେବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ବିଭିନ୍ନ କଲେଜରେ ଏବିଭିପିକୁ ସହଯୋଗ କରୁଥିବା ଜଣାପଡ଼ିଛି।

