ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ

ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ

News by Kanhu Charan Panda (Jagatpur)

#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଅବହେଳା ଯୋଗୁ ଏବେ ପଶୁ ସମ୍ପଦ ବିପଦରେ ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାଣୀଧନ ବିକାଶ ନିମନ୍ତେ ବିଭିନ୍ନ ସ୍ଥାନରେ ପଶୁ ଡାକ୍ତରଖାନା ଖୋଲାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତାହା ଜନସାଧାରଣଙ୍କ କାମରେ ଲାଗିପାରୁନାହିଁ । ଏକଭଙ୍ଗାଘରେ କେବଳ ଫଳକରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଚାଲିଥିବାବେଳେ ଏହାର ଫାଟକରେ ତାଲା ଝୁଲୁଛି । ଅଞ୍ଚଳରେ ଉକ୍ତ ପଶୁ ଡାକ୍ତରଖାନାଟି ଅଚଳ ହୋଇଥିବାରୁ ବହୁ ଗାଈଗୋରୁ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ପ୍ରାଣିଧନ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ୨୦୧୦ ମସିହାରେ ଶିଳାନ୍ୟାସ ହୋଇଥିଲା । ୨୦୧୨ ମସିହାରେ ନିର୍ମାଣ କାମ ଶେଷ ହୋଇଥାନ୍ତା । ଇତି ମଧ୍ୟରେ ୧୫ ବର୍ଷ ବିତିଗଲାଣି; କିନ୍ତୁ ଅର୍ଥ ଅଭାବ ଆଳ ଦେଖାଇ ଅଧାପନ୍ତରିଆ ଅବସ୍ଥାରେ ଏହି ଚିକିତ୍ସା କେନ୍ଦ୍ର ଗୃହଟିକୁ ଛାଡି ଦିଆଯାଇଛି । ଦୀର୍ଘ ୨୫ ବର୍ଷ ହେବ ଏକ ଭଡା ଗୃହରେ ଏହି ପ୍ରାଣିଧନ ଚିକିତ୍ସା କେନ୍ଦ୍ର ଚାଲୁଥିବାବେଳେ ଭଡା ଗୃହ ଛାଡି ବର୍ତ୍ତମାନ ଏହି ଅର୍ଦ୍ଧ ନିର୍ମିତ ଭଙ୍ଗା ଘରେ ଏହି ଚିକିତ୍ସା କେନ୍ଦ୍ରଟି ଚାଲୁଛି । ଏହି ଗୋ-ଚିକିତ୍ସା କେନ୍ଦ୍ରର କାନ୍ଥଗୁଡିକ ଭିତର ବାହାର ନା ପ୍ଲାଷ୍ଟର ହୋଇଛି ନା ତଳ ପକ୍କା କରାଯାଇଛି । ୨୦୨୨ ମସିହାରେ ନିମପୁର ବଡ ପୋଖରୀ ପୁନରୁଦ୍ଧାର ପାଇଁ ଠିକାଦାର ଜଣଙ୍କ ଏହି ଅଧାଗଢା ଗୃହଟିକୁ ଗୋଦାମ ଗୃହ କରିବା ପାଇଁ ଲୁହା ଗେଟ ଓ ଝରକା ଇତ୍ୟାଦି ଲଗାଇଥିଲେ ବଡ ପୋଖରୀ ପୁନରୁଦ୍ଧାର କାମ ତ ଅଧାରେ ରହିଗଲା କିନ୍ତୁ ଏହି ଲୁହା ଗେଟ ଓ ଝରକା ଲାଗିଥିବାରୁ ସେଠାରେ ସେହି ଭଙ୍ଗା ଘରେ କାମଚଳା ଭାବେ ପଶୁ ଡାକ୍ତର ଖାନାଟି ଚାଲୁଛି । କିନ୍ତୁ ସେଠାକୁ ଡାକ୍ତର ଆସୁନଥିବାରୁ ବହୁ ଲୋକେ ଦୁର ଦୁରନ୍ତରୁ ଗାଡି ଭଡା କରି ନିଜ ଗାଇକୁ ଏଠାକୁ ଚିକିତ୍ସା ନିମନ୍ତେ ଆଣି ହତାସ ହୋଇ ଫେରିବାକୁ ପଡୁଛି । ଏହି ଡାକ୍ତରଖାନାରେ ସବୁବେଳେ ଗୋଟିଏ ନୁହଁ ଦୁଇ ଦୁଇଟି ତାଲା ଝୁଲିବାର ଦେଖିବାକୁ ମିଳୁଛି । ଏଠାରେ ପ୍ରକାଶ ଯେ ଗତ ୩ ଦିନ ହେବ ଜଗତପୁର ଆଇ.ବି ରୋଡ ସ୍ଥିତ ଏକ ଦୋକାନ ବାରଣ୍ଡାରେ ଏକ ଗାଇଟିର ଦେହ ଖରାପ ଯୋଗୁ ସେଠାରେ ପଡି ରହିଥିଲା । ସ୍ଥାନୀୟ ଦୋକାନୀ ମାନେ ଗାଇଟିର ସେବା ଯତ୍ନ କରି ତାକୁ ଖାଇବାକୁ ଦେଇ ତାକୁ ମେଡିସିନ ଇତ୍ୟାଦି ଦେଉଥିଲେ । ମାତ୍ର ଚିକତ୍ସା ଅବହେଳାରୁ ଗାଈଟିର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ମୁନସିପାଲଟି ପକ୍ଷରୁ ମୃତ ଗାଈକୁ ଏକ ଗାଡିରେ ସେଠାରୁ ନିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟସରକାର ରାଜ୍ୟର ବିକାଶ ପାଇଁ ଅନେକ ପ୍ରକଳ୍ପ ହେଉଥିବାବେଳେ ଏଠାରେ ଦୀର୍ଘ ୧୫ ବର୍ଷ ହେବ ପଶୁ ଡାକ୍ତର ଖାନାଟି ସମ୍ପୁର୍ଣ୍ଣ କରିବାକୁ ସରକାରଙ୍କ ପାଖରେ ପଇସା ନଥିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି ସରକାର ମନ୍ଦିର, ପାର୍କ ଓ ଖେଳ ପଡିଆ ପ୍ରଭୃତି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ବେଳେ ଗୋଟିଏ ପଶୁ ଡାକ୍ତର ଖାନା ପାଇଁ ଅର୍ଥ ନାହିଁ ଏହା ଏକ ଲଜ୍ୟା ଜନକ କଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *