ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#ପୁରୀ(ଏନ୍.ଏମ୍.): ରଥଯାତ୍ରା-୨୦୨୪ ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ୱୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଥର ରଥଯାତ୍ରା ସଫଳ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏନେଇ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି । ଦୀର୍ଘ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ଭାଗ୍ୟ । ଚଳିତବର୍ଷ ୨ ଦିନରେ ରଥଯାତ୍ରା ସମାପନ ହେବ । ତେଣୁ ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ରଥଯାତ୍ରା ଯେପରି ସୁରୁଖୁରରେ ସମାପନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା । ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।