ଜାମିନ ପାଇଁ ହାଇକୋର୍ଟରେ ଚୌଦ୍ୱାର ଜେଲ ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ
@କଟକ(ଏନ୍.ଏମ୍.): ଚୌଦ୍ୱାର ଜେଲ୍ ମଣ୍ଡଳ କାରାଗାରର ପୂର୍ବତନ ଜେଲ ଅଧିକ୍ଷକ ସୁଜିତ ରାଉଳ ଏବେ ଜେଲରେ ଥିବାବେଳେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପ୍ରତି ଶ୍ରୀ ରାଉଳଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ଅଛନ୍ତି। ସୂଚନା ଅନୁଯାୟୀ ଚୌଦ୍ୱାର କାରାଗାରରୁ ଗତ ଅକ୍ଟୋବର ୨ତାରିଖରେ ଦୁଇଜଣ ବିଚାରାଧୀନ କଏଦୀ ଫେରାର ହେବା ଘଟଣା। ଜେଲ୍ ରେକର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳ। ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ କଟକ ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଘଟଣାର ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେହି ସମୟରେ କାରାଗାର ଦାୟିତ୍ୱରେ ଥିବା ଅଧୀକ୍ଷକ ଶ୍ରୀ ରାଉଳ କଏଦୀମାନଙ୍କୁ ଖସିଯିବାରେ ସହଯୋଗ କରିବା ପାଇଁ କାରାଗାର ଅଫିସିଆଲ୍ ରେକର୍ଡ ଏବଂ ମିନିଟ୍ ବୁକରେ ଜାଲିଆତି କରିଥିଲେ। ଏପରିକି ନିଜ ଦୋଷ ଲୁଚାଇବା ପାଇଁ ଏସବୁ ଚକ୍ରାନ୍ତ ପାଇଁ ତତ୍କାଳୀନ ଜେଲରଙ୍କ ମୁଣ୍ଡରେ ଅଠା ବୋଳି ଦେଇଥିଲେ। ତେବେ ଏହି ସାଂଘାତିକ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୁନଶ୍ଚ ପୂର୍ବରୁ ଶ୍ରୀ ରାଉଳ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ମାମଲାର ଗମ୍ଭୀରତାକୁ ବିଚାର କରି ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ନିମ୍ନ ଅଦାଲତ ମଧ୍ୟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଗିରଫ ହେବା ପରଠାରୁ ଜେଲ୍ କଷ୍ଟଡିରେ ରହିଥିବା ସୁଜିତ ରାଉଳଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକର ଏସ୍.ସି.ବି. ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପକ୍ଷରେ, ତଳ କୋର୍ଟରୁ ଜାମିନ ନାମଞ୍ଜୁର ହେବା ପରେ ସେ ଏବେ ନିୟମିତ ଜାମିନ ପାଇଁ ପୁଣିଥରେ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି, ଯାହା ଉପରେ ଆଗାମୀ ଦିନରେ ଶୁଣାଣି ହେବାର ସମ୍ଭାବନା ରହିଛି।

