ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ: ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

ବିଜେଡି ପାଇଁ ଚର୍ଚ୍ଚାରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ
ନେତୃତ୍ୱ ଶୂନ ହୋଇ ପଡ଼ିବା ପରେ ପ୍ରାର୍ଥୀ ନେଇ ବିଜେଡିର ଚାଲିଛି ଅଙ୍କକଷା

copy of 1st 11111
@ଚୌଦ୍ୱାର(ଏନ୍‌.ଏମ୍‌.): ଏବେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠୁ ହିଟ ଲିଷ୍ଟରେ ଅଛି ଚୌଦ୍ୱାରର-କଟକ ନିର୍ବାଚନ ମଣ୍ଡଳୀ। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀଟି ଚୌଦ୍ୱାର ନିର୍ବାଚନମଣ୍ଡଳୀ ଥିବାବେଳେ ଏହି ୨୦୦୯ ମସିହାରେ ଏହାର ସୀମା ପରିବର୍ତ୍ତନ କରାଯାଇ ଏହାକୁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ନାମକରଣ କରାଗଲା। ତେବେ ନୂତନ ସୀମା ନିର୍ଦ୍ଧାରଣ ପରେ ବିଜେଡି ଦଳରୁ ପ୍ରଭାତ ରଞ୍ଜନ ବିଶ୍ୱାଳ ଟିକେଟ ନେଇ ନିର୍ବାଚନ ବୈତରଣୀ ପାରକରିଥିଲେ। ତେବେ ଶ୍ରୀ ବିଶ୍ୱାଳ ନୂଆକରି ଏହି ନିର୍ବାଚନମଣ୍ଡଳୀରେ ପାଦଦେଇଥିଲେ ମଧ୍ୟ ନିଜର ନେତୃତ୍ୱ ଆଉ ତତକାଳନୀନ ଦ୍ୱିତୀୟ କ୍ଷମତାକେନ୍ଦ୍ରର ଶକ୍ତି ନେଇ ସେ ଏହି ନିର୍ବାଚନ ମଣ୍ଡଳୀକୁ ଏଭଳି ନିଜ ଅକ୍ତିଆରକୁ ନେଇଯାଇଛନ୍ତି ଯେ, ୨୦୦୯ ଓ ୨୦୧୪ ମସିହାରେ ନିଜର ଗାଦିକୁ ସୁରକ୍ଷିତ ରଖି ପାରିଥିବା ବେଳେ ୨୦୧୯ ଓ ୨୦୨୪ରେ ନିଜ ପୁଅକୁ ମଧ୍ୟ ସେ ବିଧାୟକ କରାଇ ପାରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୪ଥର ବିଧାୟକ ହେବାରେ ବିଶ୍ୱାଳ ପରିବାର ସଫଳ ହୋଇଛନ୍ତି। ତେବେ ପୁଅ ବିଜେଡି ଦଳରୁ ବିଧାୟକ ହେବା ପରେ ଦଳ ବିରୋଧୀ କାର୍ଯ୍ୟକରିବା ତଥା ଦଳର ହ୍ୱିପ ଅମାନ୍ୟ କରି ଦଳରୁ ନିଲମ୍ବିତ ରହିଛନ୍ତି। ଏହି ସମୟରେ ବାପା ପ୍ରଭାତ ବିଶ୍ୱାଳ ମଧ୍ୟ ବିଜେପିରେ ମିଶିବା ଏବଂ ପୁଅ ବାପାଙ୍କ ପଦାଙ୍କ ଅନୁସରଣ କରିବା ଫଳରେ ଏହି ନିର୍ବାଚନ ମଣ୍ଡଳୀ ଏବେ ବିଜେଡିର ନେତୃତ୍ୱ ବିହୀନ ହୋଇ ପଡ଼ିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଶ୍ୱାଳ ରାଜନୀତି ଏତେ ପ୍ରଖର ରହିଛି ଯେ ଏହାକୁ ମୁକାବିଲା କରିବା ପାଇଁ ବିଜେଡି ଦୁଇ ଦୁଇ ଜଣ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ମଧ୍ୟ ସଂଗଠନ ସଜାଡିବା କ୍ଷେତ୍ରରେ ନିୟୋଜିତ କରାଇଛି। ଫଳରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପ୍ରତାପ ଜେନା ସଂଗଠନକୁ ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ଦଳୀୟ ବୈଠକ କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ବିଧାୟକ ପ୍ରାର୍ଥୀ କରିବ ସେ ନେଇ କୌଣସି ନିଷ୍କର୍ଷରେ ଦଳ ପହଞ୍ଚି ପାରୁନଥିବାବେଳେ ଦଳୀୟ ନେତୃତ୍ୱ ଓ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ଦଳ ସଂଘର୍ଷ ଆରମ୍ଭ କରିଛି। ଏପରିକି ଏହି ନିର୍ବାଚନ ମଣ୍ଡଳୀରେ ଦଳକୁ ବଞ୍ଚାଇ ରଖିବା ପାଇଁ ଦଳ ମୁଖିଆ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କୁ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ପୂର୍ବତନମନ୍ତ୍ରୀ ଶ୍ରୀ ମିଶ୍ର ଓ ଶ୍ରୀ ଜେନାଙ୍କ ସମେତ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କୁ ତଦାରଖ କରିବାକୁ ଗୁରୁଦାୟିତ୍ୱ ଦିଆଯାଇଛି। ତେବେ ଏହି ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ମଜଭୁତ କରିବା ଆଉ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଜିତାଇବା ପାଇଁ ଦଳ ଏବେ ଠାରୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ହେଲେ ବିଜେଡିରୁ ଟିକେଟ ନେଇ ବିଭିନ୍ନ ପଦପଦବୀରେ ଥିବା ଲୋକପ୍ରତିନିଧିମାନେ ଏମାନଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ହେଉଥିବା ଦଳୀୟ ମହଲରୁ ଶୁଣିବାକୁ ମିଳିଛି। ଏପରିକି ଚୌଦ୍ୱାର ଅଞ୍ଚଳରେ ବହୁ ବିଜେଡି କାଉନସିଲର ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଦେଖା ଯାଉନାହାନ୍ତି। ତେବେ ସେମାନଙ୍କୁ ଡକାଯାଉନଥିବା ଅଭିଯୋଗ ଉଠୁଥିବାବେଳେ, ସେମାନେ ଦଳୀୟ କାର୍ଯ୍ୟକ୍ରମକୁ ଆସୁନଥିବା ପାଲଟା ଅଭିଯୋଗ ହେଉଛି। ଯଦି ଏହି ଅଭିଯୋଗର କୌଣସି ସତ୍ୟତା ଥାଏ ତେବେ ଦଳ ଆଗାମୀ ନିର୍ବାଚନରେ କ୍ଷତି ସହିବ ବୋଲି ନିର୍ବାଚନ ସମୀକ୍ଷକମାନେ ଏବେ ଠାରୁ ଭବିଷ୍ୟବାଣୀ ଦେଇ ସାରିଲେଣି। ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ନେତୃତ୍ୱକୁ ନେଇ ବହୁ କର୍ମୀମାନେ ମଧ୍ୟ ସନ୍ଦେହରେ ରହିଛନ୍ତି। ପୂର୍ବରୁ ପ୍ରଭାତ ବିଶ୍ୱାଳଙ୍କ ସହ ଦୀର୍ଘ ବର୍ଷ କାମ କରିବା ପରେ ଏମାନଙ୍କ ସହ କାମ କରିବାରେ କିଛି ସମସ୍ୟା ରହିଥିବା କର୍ମୀମାନେ ଅନୁଭବ କରୁଛନ୍ତି।
କେବଳ ସେତିକି ନୁହେଁ ଏବେ ଏହି ନିର୍ବାଚନ ମଣ୍ଡଳୀ ବିଜେଡି ମୁରବୀ ଶୂନ୍ୟ ହୋଇପଡ଼ିଥିବାବେଳେ ବହୁ ନେତା ଏବେ ଟିକେଟ ନେବା ଆଶାରେ ରହିଛନ୍ତି। ତେବେ ଦଳୀୟ କର୍ମୀଙ୍କ ଆଲୋଚନା ଅନୁଯାୟୀ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ମାହାଙ୍ଗାରୁ ଅସ୍ତିତ୍ୱ ହରାଇବା ପରେ ଶ୍ରୀ ଜେନା ଏବେ ଚୌଦ୍ୱାର-କଟକ ଉପରେ ନଜର ରଖିଥିବା ଚର୍ଚ୍ଚା ହେଉଛି। ସେ କିମ୍ବା ତାଙ୍କ ପୁତୁରା ପାଇଁ ଶ୍ରୀ ଜେନା ଆଶା ରଖିଥିବା ଆଲୋଚନା ହେଉଛି। ସେହିଭଳି ବଡମ୍ବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନାମକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ସେ ଚୌଦ୍ୱାର ମୁନିସପାଲିଟି ସ୍କୁଲର ଛାତ୍ର ଥିବାବେଳେ ଚୌଦ୍ୱାରରେ ତାଙ୍କର ବହୁ ସାଙ୍ଗସାଥୀ ଅଛନ୍ତି। ଏପରିକି ଚୌଦ୍ୱାରର ପାଣିପବନ ସହ ସେ ଜଡ଼ିତ, ତେଣୁ ତାଙ୍କୁ ମଧ୍ୟ ଆଶାୟୀଙ୍କ ପରିସର ମଧ୍ୟରୁ ଟଣାଯାଇପାରେ। ସେହିଭଳି ନୂଆ ମୁହଁ ଭାବେ ଶୋଭେନ ମହାନ୍ତିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଜଗତପୁରସ୍ଥିତ ତାଙ୍କ ମଣ୍ଡପ କାର୍ଯ୍ୟାଳୟରେ ବିଭିନ୍ନ ଦିଗରୁ ଗୋଟି ଚଳାଉଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ପୁନଶ୍ଚ୨୦୦୪ରେ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଥିବା ଧର୍ମାନନ୍ଦ ବେହେରାଙ୍କ ସଂଗଠନ ମଧ୍ୟ ରହିଛି। ତେଣୁ ସମ୍ପ୍ରତି ତାଙ୍କ ପୁଅ ପ୍ରଶାନ୍ତ ବେହେରା ଏବେ ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଥିବାବେଳେ ସେ ମଧ୍ୟ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଉପରେ ନଜର ରଖିଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ