ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭ

@କଟକ(ଏନ୍.ଏମ୍.): ଦେଶ ତଥା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଚରମ ବିପର୍ଯ୍ୟସ୍ତ ହୋଇଛି। ଏହାର ସମାଧାନ ଦାବିରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ। ସେହି ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରଚାର ପ୍ରସାର ସହ ଏହି ବିକ୍ଷୋଭରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି।
ଏଆଇଡିଏସଓ ଅଭିଯୋଗ କରିଛି ଯେ, କେନ୍ଦ୍ରର ବିଜେପି ସରକାର ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଅଯୌକ୍ତିକ, ଅବୈଜ୍ଞାନିକ, କପୋଳକଳ୍ପିତ ଓ କୁସଂସ୍କାରାଚ୍ଛନ୍ନ ବିଷୟବସ୍ତୁ ଭର୍ତ୍ତି କରି ଶିକ୍ଷାର ମୂଳଦୁଆକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି। ବହିଗୁଡ଼ିକରେ ଅସଂଖ୍ୟ ତ୍ରୁଟି ରହିବା ସହ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିଷୟଗୁଡ଼ିକୁ ବାଦ ଦିଆଯାଇଛି। ସାରା ରାଜ୍ୟରେ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଜୋର ଦାବି ଉଠିଥିଲେ ମଧ୍ୟ ସରକାର ଏଯାବତ ଚୁପ ହୋଇ ବସି ରହିଛନ୍ତି। ସରକାର ଏହା ସହିତ ତ୍ରୁଟିପୂର୍ଣ୍ଣ ଭାଷାନୀତି ଲଦିଦେଇ ମାତୃଭାଷା ଓ ଇଂରାଜୀ ଶିକ୍ଷାର ଗୁରୁତ୍ୱକୁ କ୍ଷୁର୍ଣ୍ଣ କରାଯାଉଛି। ଅନ୍ୟପଟେ ରାଜ୍ୟରେ ହଜାର ହଜାର ଶିକ୍ଷକ – ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିବା, ଭିତ୍ତିଭୂମିର ଘୋର ଅଭାବ, ବିଗତ ଦିନରେ ବନ୍ଦ ହୋଇଥିବା ୭ହଜାରରୁ ଉର୍ଦ୍ଧ୍ୱ ସରକାରୀ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ ନକରି ବରଂ ସ୍କୁଲ ବନ୍ଦ ପ୍ରକ୍ରିୟା ଜାରି ରଖିବା ଏବଂ ‘କେଜି ରୁ ପିଜି ମାଗଣା ଶିକ୍ଷା’ ଭଳି ଲୋଭନୀୟ ସ୍ଲୋଗାନ ଆଢୁଆଳରେ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିବାର ଷଡଯନ୍ତ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ଏହି ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିଶୂନ୍ୟ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ତୁରନ୍ତ ପ୍ରଦାନ କରିବା, ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭାବେ ପୂରଣ କରିବା, ବନ୍ଦ ସ୍କୁଲଗୁଡ଼ିକୁ ତୁରନ୍ତ ଖୋଲିବା, ଏନଟିଏ କୁ ରଦ୍ଦ କରିବା, ଅଗଣତାନ୍ତ୍ରିକ ଆଚରଣ ସଂହିତା ପ୍ରତ୍ୟାହାର କରି କଲେଜ-ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା, ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ପାସ୍ ଯୋଗାଇଦେବା, ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ନିଶାଦ୍ରବ୍ୟ ତଥା ଅପସଂସ୍କୃତିର ପ୍ରଚାର ପ୍ରସାର ସମ୍ପୂର୍ଣ୍ଣ ବନ୍ଦ କରିବା ଭଳି ପ୍ରମୂଖ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି।

