ଗାନ୍ଧୀଥିଲେ ସବଳ, ଅହିଂସାର ପ୍ରଚାରକ: ଡଃ ମହତାବ

@କଟକ(ଏନ୍.ଏମ୍.): ସବଳ ଅହିଂସାର ପ୍ରଚାରକ ବୋଲି ଐତିହାସିକ ସ୍ୱରାଜ ଆଶ୍ରମରେ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଲୋକସଭା ସାଂସଦ ଡ. ଭର୍ତ୍ତୃହରି ମହତାବ ଯୋଗଦେଇ ଗାନ୍ଧିଜୀ ସବଳ ଅହିଂସାର ପ୍ରଚାରକ ବୋଲି କହିଥିଲେ। ସ୍ୱରାଜ ଆଶ୍ରମ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ହୋଇଥିବାରୁ ଏହାର ମହତ୍ତ୍ୱକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ, ଯାହା ଉତ୍ତରପିଢ଼ିଙ୍କ ନିକଟରେ ଇତିହାସର ଏହି ଗୌରବମୟ କଥା ପହଞ୍ଚାଇବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ଇଂ. ସୋଫିଆ ଫିରଦୋସ ଯୋଗଦେଇ ଗାନ୍ଧୀଜୀଙ୍କ ବାଣୀର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ବୋଲି କହିଥିଲେ। କଟକ ମହାନଗର ନିଗମ ମେୟର ସୁବାଷ ଚନ୍ଦ୍ର ସିଂହ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରି ସମାଜରେ ଶାନ୍ତି, ଭାଇଚାରା, ସ୍ୱଚ୍ଛତା ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଗାନ୍ଧୀଙ୍କ ବାଣୀକୁ ଡାକ୍ତରଙ୍କ ଚିକିତ୍ସାପତ୍ର ଭଳି ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଥିଲେ। ମୁଖ୍ୟବକ୍ତା ଭାବେ ଗାନ୍ଧିଯୁଗ ତ୍ୟାଗର ଯୁଗ ଥିଲା ବୋଲି ଗାନ୍ଧୀବାଦୀ ଭାଗବତ ଶୁକ୍ଳ ମତବ୍ୟକ୍ତ କରିଥିଲେ। ଏଣୁ ସମସ୍ତେ ଭୋଗବାଦୀ ନହୋଇ ତ୍ୟାଗପୂତ ଜୀବନଯାପନ କଲେ ଗାନ୍ଧୀଙ୍କର ପ୍ରକୃତ ସ୍ୱପ୍ନ ପୂରଣ ହୋଇପାରିବ। ମହାତ୍ମାଗାନ୍ଧୀ ଓଡିଶା ଗସ୍ତରେ ୮ଥର ଆସି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ମିଶ୍ର ଓ ଡଃ ହରେକୃଷ୍ଣ ମହତାବଙ୍କ ସ୍ୱର ବହୁବିଧ ଭାବେ ପ୍ରଭାବିତ ହୋଇଥିଲେ ବୋଲି ସେ ବିସ୍ତ୍ରୁତ ଭାବେ ତାଙ୍କ ଅଭିଭାଷଣର ଅବତାରଣା କରିଥିଲେ। କାର୍ଯକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥଲା। ଉପନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ, କେନ୍ଦ୍ରାଞ୍ଚଳ ଆଶୁତୋଷ ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକନାଥ ଦୀକ୍ଷିତ ଗୀତା, ରେଭ ପ୍ରଭାତ ବାଗ ବାଇବେଲ ଓ ସେକ୍ ହାକିମ କୋରାନ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧିବାଦୀ ମାୟାଧର ଦାସ, ଆର୍ଯ୍ୟଭଟ୍ଟ ମହାନ୍ତି, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ନୃସିଂହ ଚରଣ ରାଉତ, ଅନିମା କୁମାରୀ ରାୟ, ଭାନୁମତୀ କାଣ୍ଡି ଏବଂ ସ୍ୱାଧୀନତା ସଂଗ୍ରାମୀ ଆଶାଲତା ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ କଳାବତୀ କଳା ନିକେତନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ” ପରିବେଷଣ ସହ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଗାନ୍ଧୀବାର୍ତ୍ତା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ସ୍ୱରାଜ ଆଶ୍ରମ ପରିସରରେ ଉପନିର୍ଦ୍ଦେଶକ, ହସ୍ତତନ୍ତ୍ର, କଟକଙ୍କ ପକ୍ଷରୁ ତନ୍ତବୁଣା ପୋଷାକ ପ୍ରଦର୍ଶନୀ କରାଯାଇଥିଲା।

