କଟକ(ଏନ୍.ଏମ୍.): ବନ୍ଧୁକ ଓ ଗୁଳି ଯୋଗାଣ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧି ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବନ୍ଧୁକ, ୨୮ ଜୀବନ୍ତ ଗୁଳି, ଗୋଟିଏ ଏକସୟୁଭି କାର୍(ଓଡ଼ି – ୦୨-ବିଜେ-୨୨୭୦) ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ସିଙ୍ଗିପୁରର ଦୁର୍ଦ୍ଦାନ୍ତ ଫେରାର୍ ଅପରାଧି ଜାନକୀ ବଲ୍ଲଭ ମହାରଣା(୩୨), ଅମ୍ବିକା ପ୍ରସାଦ ସ୍ୱାଇଁ ଓରଫ ବାପି(୨୯), କାଦୁଆପଡ଼ାର ରାକେଶ କୁମାର ମଲ୍ଲିକ ଓରଫ ରାକା (୩୦) ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଶ୍ୱରପୁରର ଚନ୍ଦନ ମହାନ୍ତି ଓରଫ ଲିକୁନା(୨୮) ।
ମିଳିଥିବା ସୂଚନା ଅନୁଯାୟୀ ଜାନକୀ ଜଣେ ଦୁର୍ଦ୍ଦାନ୍ତ ଅପରାଧି । ଗତ ୨୦୧୬ରୁ ସେ ଜଗତସିଂହପୁର କୋର୍ଟରେ ଆମ୍ô ସମର୍ପଣ କରିବାକୁ ଯାଇଥିବା ବେଳଠାରୁ ଫେରାର ରହିଥିଲା । ସେ ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଲିଘାଟ ଚଳାଇବା ସହ ବାଲିଘାଟ ନିଲାମଧାରୀଙ୍କ ଠାରୁ ବନ୍ଧୁକ ମୁନରେ ଦାଦା ବଟି ଆଦାୟ କରୁଥିଲା । ଜିଲ୍ଲାରେ ତା’ର ସହଯୋଗୀମାନଙ୍କ ଦ୍ୱାରା ଆତଙ୍କ ଖେଳାଉଥିଲା । ବାଲି ଘାଟ ନିଲାମଧାରୀ ଓ ବାଲି ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳାଇ ବଟି ଆଦାୟ କରିବା ଉଦେ୍ଦଶ୍ୟରେ ଆଜି ତା’ର ସହଯୋଗୀମାନଙ୍କୁ ବନ୍ଧୁକ ଓ ଗୁଳି ଯୋଗାଇବା ପାଇଁ ଜାନକୀ ଭୁବନେଶ୍ୱରରୁ ଏକ ଏକସୟୁଭି କାରରେ ବିରିବାଟି ତାରିଣୀ ମନ୍ଦିର ନିକଟକୁ ଆସି ସେମାନଙ୍କୁ ଡକାଇଥିଲା । ତା’ର ନିଦେ୍ର୍ଦଶରେ ୩ଟି ମୋଟରସାଇକେଲରେ ୬ ଜଣ ସହଯୋଗୀ ସେଠାରେ ପହଞ୍ଚିଥିଲେ । ମାତ୍ର ଏନେଇ ଚାଉଳିଆଗଞ୍ଜ ଥାନା ପୁଲିସକୁ ପୂର୍ବରୁ ଗୁପ୍ତ ସୂଚନା ମିଳି ସାରିଥିଲା । ତଦନୁଯାୟୀ ଆଜି ସକାଳ ପ୍ରାୟ ୯ଟା ବେଳେ ତାରିଣୀ ମନ୍ଦିର ନିକଟରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୩ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଜାନକୀ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ୯ଏମଏମ ବନ୍ଧୁକ, ୨ଟି ୭.୬୫ ଏମଏମ ବନ୍ଧୁକ, ୨୪ ୯ ଏମଏମ ଓ ୪ ୭.୬୫ ଏମଏମ ଜୀବନ୍ତ ଗୁଳି, ଏକସୟୁଭି କାର୍ ଓ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ତଦନ୍ତ ସମୟରେ ଜାନକୀ ନାମରେ ଜଗତସିଂହପୁର ଟାଉନ ଥାନାରେ ୨୯୬/୨୦୧୫ରେ ଆଇପିସି ୩୦୭, ୩୪ ଓ ଅସ୍ତ୍ରଶସ୍ତ୍ର ଆଇନ ଧାରା ୨୫ ଓ ୨୭ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ମାମଲାରେ ୨୦୧୬ ଅଗଷ୍ଟ ୪ରେ ଜଗତସିଂହପୁର କୋର୍ଟରେ ଆମ୍ô ସମର୍ପଣ କରିବାକୁ ଯାଇ ସେଠାରୁ ଫେରାର ହୋଇଯାଇଥିଲା । ଏନେଇ ଜଗତସିଂହପୁର ଟାଉନ ଥାନାରେ ୨୪୫/୨୦୧୬ରେ ଆଇପିସି ୨୨୪, ୩୩୨ରେ ଏକ ମାମଲା ରୁଜୁ କରାଯାଇଥିଲା । ସେବେଠାରୁ ସେ ଫେରାର ଥାଇ ତା’ର ନେଟୱାର୍କ ଜାରି ରଖିଥିଲା । ଅଭିଯୁକ୍ତ ଜାନକୀ ବିରୋଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୨ଟି ମାମଲା ରହିଥିବା ବେଳେ ରାକା ବିରୋଧରେ ୩ଟି, ବାପି ବିରୋଧରେ ୨ଟି ଓ ଲିକୁନା ବିରୋଧରେ ଗୋଟିଏ ମାମଲା ଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କ ଅପରାଧିକ କାର୍ଯ୍ୟକଳାପର ଛାନଭିନ ଜାରି ରହିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।