ସମ୍ଭାବ୍ୟ ଅଦିନିଆ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତୁତି

ସମ୍ଭାବ୍ୟ ଅଦିନିଆ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତୁତି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି ।
ଏହି ପରିପେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ, ଯୁଗ୍ମ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି ଏବଂ ସମ୍ପୃକ୍ତ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ବର୍ତ୍ତମାନ ଫସଲର ବିଶେଷ କରି ଧାନ, ମାଣ୍ଡିଆ, କପା, ଆଳୁ ଏବଂ ଅନ୍ୟାନ୍ୟ ପନିପରିବାର ଅବସ୍ଥା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଚାଷୀମାନଙ୍କ ପାଇଁ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇଥିଲା । ଉକ୍ତ ପରାମର୍ଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ ନିମନ୍ତେ ପଠାଯାଇଅଛି । ବିଶେଷକରି ଉକ୍ତ ପରାମର୍ଶରେ ଅମଳ ଉପଯୋଗୀ ଧାନ, ମାଣ୍ଡିଆ ଓ କପା ଆଦି ଫସଲକୁ ଅମଳ କରି ଯଥାସମ୍ଭବ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ଅନୁରୋଧ କରାଯାଇଛି । ଏହି ପରାମର୍ଶ କୃଷି ବିଭାଗର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଇଛି ଏବଂ ‘ଆମ କୃଷି’ର ପଞ୍ଜିକୃତ ଚାଷୀମାନଙ୍କୁ ଆଇ.ଭି.ଆର.ଏସ୍‌. ବାର୍ତ୍ତା ପ୍ରେରିତ କରାଯାଇଛି । ଏତଦ୍‌ବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ସତର୍କ ରହିବା ପାଇଁ କୁହାଯାଇଛି ଏବଂ ୨ରୁ ୬ ତାରିଖ ପର୍ଯ୍ୟନ୍ତ କୌଣସି ଛୁଟି ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାମାନଙ୍କରେ “ମାଇକ୍‌’’ ଜରିଆରେ ଉକ୍ତ ବାର୍ତ୍ତା ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *