ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ


#ଭଦ୍ରକ (ଏନ୍‌.ଏମ୍‌.): ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ମିଳିଲାନି ଚାକିରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସୂଚନା ଅନୁସାରେ, ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଜୟଲକ୍ଷ୍ମୀ ଦାସ ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଜୁକେସନ୍ ପାଠ୍ୟକ୍ରମ ଶେଷ କରିଛନ୍ତି। ସେ ଶିଶୁ ବାଟିକାରେ ଚାକିରୀ ପାଇଁ ଆଶାୟୀ ଥିଲେ। ହେଲେ ଶିଶୁ ବାଟିକାରେ ସ୍ୱତନ୍ତ୍ର ଭାବେ ନିଯୁକ୍ତି ବ୍ୟବସ୍ଥା ନଥିବା ଜାଣି ବିଜୟଲକ୍ଷ୍ମୀ ପ୍ରତିବାଦ କରିଥିଲେ। ଏମିତିକି ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ। ସେହିପରି ସଂଘ ସହାୟତାରେ ଅନେକଥର ବିଧାନସଭା ଆଗରେ ଧାରଣା ଦେଇଥିଲେ; ହେଲେ କୌଣସି ସୁଫଳ ମିଳି ନଥିଲା। ସବୁଆଡ଼ୁ ନିରାଶ ହେବା ପରେ ଗୁହାରି କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ଜିଲ୍ଲାପାଳ ଉପସ୍ଥିତ ନଥିବା ଜାଣି ବିଜୟଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପାଖରେ ରଖିଥିବା ଦିଆସିଲି ମାରି ନିଜ ପୋଷାକରେ ନିଆଁ ଲଗାଇ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇଥିଲେ ମଧ୍ୟ ବିଜୟଲକ୍ଷ୍ମୀ କିଛିକାଂଶରେ ପୋଡ଼ିଯାଇ ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବିଜୟଲକ୍ଷ୍ମୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଡାକ୍ତର କହିଛନ୍ତି। ତେବେ ଏ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *