News by Padmalochan Mishra (Cuttack)

ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଅବସରରେ ଶିଶୁ ଦିବସ ପାଳନ କରାଯାଇଛି । ଭାରତ ସରକାର ନେହେରୁଙ୍କର ଶିଶୁମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଦିନ ସମଗ୍ର ଦେଶରେ ଶିଶୁ ଦିବସ ପାଳନ କରୁଛନ୍ତି । ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ରଥଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିଶୁ ଦିବସକୁ ଉଦ୍‌ଘାଟନ କରି ନେହେରୁଙ୍କ ସ୍ମୃତିଚାରଣ କରିବା ସହ ପିଲାମାନଙ୍କୁ ଭଲପାଇବା ଏବଂ ଶ୍ରଦ୍ଧା କରୁଥିବା ପଣ୍ଡିତ ନେହେରୁଙ୍କ ଆଉ ଏକ ପରିଚୟ ଥିଲା ଚାଚା ନେହେରୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ । ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ସ୍ତମ୍ଭକାର ଅରୁଣ ପଣ୍ଡା, ବିଶିଷ୍ଟ ସମାଜସେବୀ ମୋହନଲାଲ ସିଂଘୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେହେରୁଙ୍କର କର୍ମମୟ ଜୀବନ ଓ ଶିଶୁମାନଙ୍କୁ ସ୍ନେହ କରିବା ସହିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ନେହେରୁଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନେହଲତା ସାହୁ ପ୍ରଥମ, ସ୍ମୃତିରେଖା ମହାରଣା ଦ୍ୱିତୀୟ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦର ସଭାପତି କିଶନ ଶର୍ମା ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନୋଜ ଶର୍ମା, ସଜ୍ଜନ ଶର୍ମା, ପଦମ ଭାଓସିଂକା, କିଶୋର ମହାନ୍ତି, ଦେବକିଶୋର ପଣ୍ଡା, ସୁଶିଲ ଶର୍ମା ଏବଂ ପୁଷ୍ପିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଥ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *