ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା
ବିନା ଫଳକରେ ଚାଲିଛି ପାଣି ଟାଙ୍କି ନିର୍ମାଣ

kayalpada water 123
@ଚୌଦ୍ୱାର(ଏନ୍‌.ଏମ୍‌.): ସରକାରୀ ପ୍ରକଳ୍ପ କାମରେ ରାଜସ୍ୱ ଆତ୍ମସାତ ହେବା ଭଳି ସଂଗୀନ ଅଭିଯୋଗ ଉଠିଛି। ଗ୍ରାମାଞ୍ଚଳରେ ଘରକୁ ଘର ଜଳ ଯୋଗାଣ ପାଇଁ ନିର୍ମାଣ ଚାଲିଥିବା ଓଭର ହେଡ ଟାଙ୍କି ଓ ଜଳ ବିଶୋଧନାଗାର କ୍ଷେତ୍ରରେ ସରକାରୀ ଅର୍ଥକୁ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ବ୍ଲକ ଜେଇଙ୍କ ଠାରୁ ଆରମ୍ଭ କରି ଆରଡବ୍ଲଏସଏସ (ରୁରାଲ ୱାଟର ସପ୍ଲାୟ ଆଣ୍ଡ ସାନିଟେସନ) ବିଭାଗ ଅଧିକାରୀକାଙ୍କ ପର୍ଯ୍ୟନ୍ତ ଏହି ବାଟମାରଣାରେ ସାମିଲଥିବା ଅଭିଯୋଗ ହେଉଛି। ଫଳରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଅନିୟମିତତା ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅର୍ନ୍ତଗତ କୟଳପଡ଼ା ପଞ୍ଚାୟତରେ। ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତିଘରେ ପାନୀୟଜଳ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପାଣିଟାଙ୍କି ନିର୍ମାଣ ପାଇଁ ସରକାର ଅର୍ଥ ପ୍ରଦାନ କରିବା ପରେ ଏହାକୁ ମେଗା ପ୍ରୋଜେକ୍ଟ ମାଧ୍ୟମରେ କାମ ଚାଲୁଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ପାଣିଟାଙ୍କି ନିର୍ମାଣ ହେଉଥିଲେ ମଧ୍ୟ କୟଳପଡ଼ା ପଞ୍ଚାୟତରେ ଏହି ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ଆରମ୍ଭ ହୋଇଛି। ଏହି ପ୍ରକଳ୍ପରେ ଠିକାସଂସ୍ଥା ସହିତ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ସରକାରୀ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ଉଠିଛି। ଏହି ପଞ୍ଚାୟତରେ ଗୋଚର ଜମି ଉପରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ପ୍ରକଳ୍ପ ସମ୍ପର୍କୀତ ସୂଚନା ଫଳକ ନାହିଁ। ଯାହା ଫଳରେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।
ସରକାରଙ୍କ ନିୟମ ଅନୁସାରେ ଉନ୍ନତିମୂଳକ କାର୍ଯ୍ୟ ଯେଉଁଠି କରାଯିବ। ପ୍ରଥମେ ଉକ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଫଳକ ଲଗାଯାଏ। ଏଥିରେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ନାମ ଆଦି ଉଲ୍ଲେଖ ରହିବା ସହ ବ୍ୟୟ ଅଟ୍ଟକଳ ଏବଂ କାର୍ଯ୍ୟ ଆରମ୍ଭ ତାରିଖ ଓ ଧାର୍ଯ୍ୟ ଶେଷ ତାରିଖ ଆଦି ଫଳକରେ ଉଲ୍ଲେଖ ରହିଥାଏ। ମାତ୍ର ଚୌଦ୍ୱାର ଅଞ୍ଚଳ କୟଳପଡା ପଞ୍ଚାୟତ ଶିମିଳିହାଣ୍ଡ ଗ୍ରାମରେ ନିର୍ମାଣ ହେଉଥିବା ପାଣି ଟାଙ୍କି ବିନା ଫଳକରେ କାର୍ଯ୍ୟ ଚାଲିଛି। ତେଣୁ କେତେ ଅର୍ଥ ରାଶି ବ୍ୟୟରେ ନିର୍ମାଣ ହେଉଥିବା ପାଣି ଟାଙ୍କି ଏବଂ ଏହାର କାର୍ଯ୍ୟ ଅବଧି କାର୍ଯ୍ୟ ଶେଷ ସମୟ ମଧ୍ୟ ଜାଣି ହେଉନଥିବାରୁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ଶିମିଳିହାଣ୍ଡ ଗ୍ରାମରେ ନିର୍ମାଣ ଚାଲୁ ରହିଥିବା ବେଳେ ଠିକାଦାର ଜାଣିଶୁଣି ଫଳକ ନ ଲଗାଇବା ସାଧାରଣରେ ପ୍ରଶ୍ନ ଉଠାଇଛି। ଏଷ୍ଟିମେଟ୍ ଅନୁସାରେ କାର୍ଯ୍ୟ କରାଯାଉ ନଥିବା ଓ କାର୍ଯ୍ୟ ନିମ୍ନମାନର ହେଉଥିବା ଭଳି ଅଭିଯୋଗ ମଧ୍ୟ ଆସୁଛି। ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ ନକରିବା ଭଳି ଅଭିଯୋଗ ମଧ୍ୟ ଉଠିବା ସହ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଜେଇ ଇଂ. ଲିପକ ସାମଲଙ୍କୁ ଯୋଗାଯୋଗ କରିବାରେ ସେ ଏ ବିଷୟରେ କହିପାରିବେ ନାହିଁ ବୋଲି କହିଥିଲେ। ଯାହା ଫଳରେ ଆରଡବ୍ଲୁଏସଏସ ଅଧିକାରୀ ସ୍ୱର୍ଣ୍ଣମୟୀ ସାହୁଙ୍କୁ ଯୋଗାଯୋଗ କରିବାରେ ପ୍ରତି ପ୍ରକଳ୍ପ ନିକଟରେ ସୂଚନା ଫଳକ ରହୁନାହିଁ କେବଳ ୱାଟର ଟ୍ରିଟ ପ୍ଲାଣ୍ଟ ନିକଟରେ ଅଛି ବୋଲି କହିଥିଲେ। ତେବେ ସେଠାରେ ମଧ୍ୟ ଫଳକ ନଥିବା ଜାଣିବା ପରେ ବିଭାଗ ପକ୍ଷରୁ ଜାଣିଶୁଣି ଫଳକ ନଲଗାଇ କାମ କରାଇ ରାଜସ୍ୱ ବାଟମାରଣା କରୁଥିବା ଅଭିଯୋଗ ହୋଇଛି। ଏହି ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ କୟଳପଡ଼ା ପଞ୍ଚାୟତର ୪ ହଜାରରୁ ଅଧିକ ଲୋକେ ଉପକୃତ ହୋଇ ହେବେ। ତେଣୁ ଏହି ପ୍ରକଳ୍ପକୁ ଠିକ୍‌ଭାବେ କରିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ