ଶୁଭାରମ୍ଭ ହେଲା ଆଙ୍ଗନ କା ଉତ୍ସବ
ବଢ଼ିଲା ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସହାୟତା

@ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବ ଦର ଠାରୁ ଅଙ୍ଗନୱାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ମାତ୍ର ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ଫଳରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଶାଢ଼ୀ କିଣା ପାଇଁ କୌଣସି ସମସ୍ୟା ରହିବ ନାହିଁ। ସେହିଭଳି ରାଜ୍ୟସରକାର ରାଜ୍ୟରେ ଉନ୍ନତି ଆଣିବା ପାଇଁ ତୃଣମୂଳସ୍ତରରୁ ଉଦ୍ୟମ କରୁଛନ୍ତି ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ‘ଦିପ୍ତି’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଛି। ‘ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’ ଥିମକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଓ ଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା ଓ ପ୍ରକଳ୍ପସ୍ତରର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବା ସହ ମହିଳା ଓ ଶିଶୁଙ୍କ ପାଇଁ ଉପଲବ୍ଧ ସେବାକୁ ଆହୁରି ପ୍ରଭାବଶାଳୀ କରିବା ନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

