‘ରାଜ୍ୟସରକାର ତୁରନ୍ତ ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବ ପେନସନ୍‌ର ମହାସଂଘ’

‘ରାଜ୍ୟସରକାର ତୁରନ୍ତ ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବ ପେନସନ୍‌ର ମହାସଂଘ’

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ବାଛି ବାଛି ଅବସରପ୍ରାପ୍ତ ବିଚାର ବିଭାଗ ଅଧିକାରୀ ଓ ବିଧାୟକଙ୍କୁ ଚିକିତ୍ସାଭତ୍ତା ଦେବା ସଙ୍ଗେ ସଙ୍ଗେ ଅନ୍ୟ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିଛନ୍ତି । ତେବେ ଦୀର୍ଘ ୧୬ ବର୍ଷ ହେବ ଏହି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସାଭତ୍ତା ବା କେନ୍ଦ୍ର ଅନୁରୂପ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେଇ ନାହାନ୍ତି । ଏପରିକି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଲୋଚନା କରିବାର ସୁଯୋଗ ନଦେବା ଅତ୍ୟନ୍ତ ବିସ୍ମୟକର ଦୁଃଖଦାୟକ ବିଷୟ ବୋଲି ପେନସନର ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କୋର କମିଟିର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୯ ଅଗଷ୍ଟ କ୍ରାନ୍ତି ଦିବସ ଠାରୁ ୨୩ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ପକ୍ଷ ପାଳନ କରାଯିବ । ଏହି ପ୍ରତିବାଦ ପକ୍ଷ ପାଳନ ଅବସରରେ ରାଜ୍ୟର ପ୍ରତି ବ୍ଲକ୍‌ସ୍ତରରେ ଥିôବା ଶାଖା ସଂଘ ଏହି ଦାବି ଉପରେ ସଂପୃକ୍ତ ବିଡିଓ ଓ ଜିଲ୍ଲାପାଳଙ୍କ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଅଗଷ୍ଟ ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ଦିଗରେ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ ନକଲେ ଆସନ୍ତା ସେପ୍ଟେମ୍ବରରେ ଏକ ବିଶାଳ କେନ୍ଦ୍ରୀୟ ସମାବେଶ ଲୋୟର ପିଏମ୍‌ଜି ଛକରେ ଅନୁଷ୍ଠିତ ହେବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ମହାସଂଘର ନେତୃତ୍ୱମାନେ ସୂଚନା ଦେଇଛନ୍ତି । ମହାସଂଘ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଚିବ ଗୋକୁଳାନନ୍ଦ ବେହେରା, ନିର୍ମଳ ଚନ୍ଦ୍ର ଦାସ, ରଜନୀକାନ୍ତ ଚୌଧୁରୀ, ସୁବୋଧ କୁମାର ମହାନ୍ତି, ବିଭୁତିଭୂଷଣ ମହାନ୍ତି, ପ୍ରେମାନନ୍ଦ ଜେନା,କୃପାସିନ୍ଧୁ ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ସୁଦର୍ଶନ ପ୍ରଧାନ, ଦ୍ୱାରିକାନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ଏବଂ ଅନ୍ୟ ପ୍ରାୟ ସବୁ ରାଜ୍ୟ ସରକାର ତାଙ୍କ ପେନସନଭୋଗୀଙ୍କୁ ଦୀର୍ଘ ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ଚିକିତ୍ସାଭତ୍ତା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ଦେଇ ଆସୁଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି ଯେ ରାଜ୍ୟର ସାଢ଼େ ୩ ଲକ୍ଷ ପେନସନଭୋଗୀଙ୍କ ଆପତ୍ତି ଓ ଦୁଃଖ ପ୍ରତି ସରକାର ଚରମ ଉଦାସିନତା ପ୍ରଦର୍ଶନ କରୁଛନ୍ତି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଚିକିତ୍ସାଭତ୍ତା ବ୍ୟତିତ ଜରୁରୀ ଦାବି ମଧ୍ୟରେ ପେନସନଭୋଗୀଙ୍କୁ ସରକାରଙ୍କ ସ୍ଥିରିକୃତ ନିତୀ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ବର୍ଦ୍ଧିତ ମହଙ୍ଗାଭତ୍ତା ମିଳି ଆସୁଥିଲା । କିନ୍ତୁ ଗତ ଜାନୁୟାରୀ ୨୦୨୨ରୁ ବର୍ଦ୍ଧିତ ୩ ପ୍ରତିଶତ ମହଙ୍ଗା ଭତ୍ତା କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ଦେଇ ଆସୁଥିଲେ ମଧ୍ୟ ଆମ ରାଜ୍ୟ ସରକାରଙ୍କର ନିରବତା ଅତ୍ୟନ୍ତ ଦୁଃଖ ଦାୟକ । ୨୦୨୦ ଜାନୁଆରୀଠାରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ୧୮ ମାସର ଏରିଅର ଡି.ଏ. ଅଦ୍ୟାବଧି ପ୍ରଦାନ କରାଯାଇ ନାହିଁ । ନିକଟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଘୋଷଣା ଅନୁଯାଇ ରାଜ୍ୟ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଛି । ବିଧାୟକ ଓ ମନ୍ତ୍ରୀମାନଙ୍କର ଦରମା ଓ ଚିକିତ୍ସା ସମ୍ପର୍କୀୟ ଭତ୍ତା ବୃଦ୍ଧି ପାଇଁ ବାଚସ୍ପତି ତତ୍‌କ୍ଷଣାତ୍ କମଟି ବସାଇଥିଲା ବେଳେ ପେନସନ ଭୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ରାଜ୍ୟ ସରକାରଙ୍କ ପେନସନର ବିରୋଧି ମନୋଭାବ ଯୋଗୁ ରାଜ୍ୟର ସାଢ଼େ ୩ ଲକ୍ଷ ପେନସନଭୋଗୀ ଓ ସେମାନଙ୍କର ପରିବାରଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *