News by B.Mishra (BBSR)

ମେକ୍ ଇନ୍ ଓଡ଼ିଶା ମହାକୁମ୍ଭ କାଲିଠୁ ଆରମ୍ଭ: ଯୋଗଦେବେ ୧୦୦ରୁ ଅଧିକ ଶିଳ୍ପପତି

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ମେକ ଇନ ଓଡ଼ିଶା ମହାକୁମ୍ଭ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୩୦ଟି ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏଥିରେ ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ସିଇଓ ତଥା ଏମଡ଼ି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଜାପାନ, ନରୱେ ଏବଂ ଜର୍ମାନୀ ମେକ ଇନ୍ ଓଡ଼ିଶା ୩.୦ରେ କଣ୍ଟ୍ରି ପାର୍ଟନର ଭାବେ ସେମାନେ ଅଂଶଗ୍ରହଣ କରିବେ । ଚଳିତ ସଂସ୍କରଣ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଭାଗ ନେବାକୁ ୧୧, ୬୦୦ ଜଣ ପଞ୍ଜିକରଣ କରିଛନ୍ତି । ମୋଟ୍ ୫ ଦିନ ବ୍ୟାପୀ ଏହି ନିବେଶକ ମହାକୁମ୍ଭରେ ୩୮ଟି ଅଧିବେଶନରେ ୧୨୪ ଜଣ ବକ୍ତା ନିଜର ବକ୍ତବ୍ୟ ରଖିବେ । କନକ୍ଲେଭକୁ ସଫଳ କରିବା ଲାଗି ରାଜ୍ୟର ୨୨ଟି ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ହୋଇସାରିଛି । ରାଜ୍ୟକୁ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୦୧୬ ସଂସ୍କରଣରେ ୨ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ସେଥିରୁ ୩୫ ପ୍ରତିଶତ ବାସ୍ତବ ରୂପ ନେଇଛି । ୨୦୧୮ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ସମୟରେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଛି । ଖଣି, ପାଣି, ଜମି ଓ ବନ୍ଦର ଥିବାରୁ ଶିଳ୍ପପତିମାନେ ଏଠି ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ୨୦୨୫ ସୁଦ୍ଧା ଟେକ୍ସଟାଇଲ ଶିଳ୍ପ ଜରିଆରେ ଜିନିଷ ଉତ୍ପାଦନ ଆରମ୍ଭ ହେବ ଏବଂ ୨୦୨୮ ସୁଦ୍ଧା ଆଲୁମିନିୟମ ଜିନିଷ ଉତ୍ପାଦନରେ ଆମେ ପ୍ରଥମ ହେବୁ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଆଜି ପ୍ରେସ୍ ମିଟ୍‌ରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *