ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ

ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ତଥା ଏ ଯୁଗର ଅନ୍ୟତମ ମହାନ ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ପ୍ରସ୍ତୁତି ଉପଲକ୍ଷେ ଏସ୍.ୟୁ.ସି.ଆଇ.(ସି) ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ଗୁରତ୍ଵ ସମ୍ପର୍କରେ ଏସ୍.ୟୁ.ସି.ଆଇ.(ସି) ସାଧାରଣ ସମ୍ପାଦକ ପ୍ରଭାସ ଘୋଷଙ୍କ ଏକ ଆବେଦନ ପାଠ କରାଯାଇଥିଲା ଓ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତ ଏ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଶୋଷିତ ଓ ନିର୍ଯ୍ୟାତିତ ଲୋକମାନଙ୍କ ପ୍ରତି ଥିବା ଗଭୀର ଆବେଗ ଓ ଭଲପାଇବା ଯୋଗୁଁ କମ୍ରେଡ ଶିବଦାସ ଘୋଷ ସମାଜକୁ ପୁଞ୍ଜିବାଦୀ ଶୋଷଣରୁ ମୁକ୍ତ କରିବା ତଥା ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଆମ ଦେଶର ମାଟିରେ ମାର୍କ୍ସବାଦକୁ ବିଶେଷୀକୃତ ଓ ଉନ୍ନତ କରିବା ସହ ଯଥାର୍ଥ କମ୍ୟୁନିଷ୍ଟ ପାର୍ଟି ଏସ୍.ୟୁ.ସି.ଆଇ.(ସି)କୁ ଗଢିତୋଳିଥିଲେ। ସଂପ୍ରତି ଦେଖାଦେଇଥିବା ଜାତୀୟ ଓ ଆନ୍ତର୍ଜାତୀୟ ସଙ୍କଟ ସମୟରେ ତାଙ୍କ ଶିକ୍ଷାକୁ ପାଥେୟ କରି ଦରଦାମ ବୃଦ୍ଧି, ବେକାରୀ, ଶିକ୍ଷା ଓ  ସ୍ୱାସ୍ଥ୍ୟର ବ୍ୟବସାୟୀକରଣ, ସାମ୍ପ୍ରଦାୟିକ ହିଂସା, ନାରୀ ନିର୍ଯାତନାରୁ ମୁକ୍ତି ତଥା କୃଷକ ଓ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ସାମାଜିକ ପରିବର୍ତ୍ତନର ଧାରାକୁ ଆଗେଇନେବା ହିଁ ସମୟର ଆହ୍ବାନ। ସେହି ଉଦ୍ଦେଶ୍ୟରେ ଦେଶବ୍ୟାପୀ ଏକ ବର୍ଷ ଧରି କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ଆବଶ୍ୟକତା ରହିଛି। ଆଗାମୀ ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଦେଶର ସମସ୍ତ ସ୍ଥାନରେ ଜନ ସଭାମାନ ଆୟୋଜନ କରାଯିବ। ଅଗଷ୍ଟ ୭ ତାରିଖ ଦିନ ସକାଳ ୧୧ଟାରେ କଟକ ଟାଉନ ହଲରେ ଜିଲ୍ଲାସ୍ତରୀୟ ଜନ ସଭା ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ବୈଠକକୁ ରାଜ୍ୟ କମିଟି ସଦସ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ବିଶ୍ଵାବସୁ ଦାସ, ରାଜ୍ୟ କମିଟି ସଦସ୍ୟ ବୀଣାପାଣି ଦାସ ଓ ଅକ୍ଷୟ ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା କମିଟି ସଦସ୍ୟ  ଲକ୍ଷ୍ମୀଧର ମହାନ୍ତି, ଖଗେଶ୍ବର ସେଠୀ,ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତରାୟ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ ଓ ଦୀପକ ଦାସ, ବିନୋଦ ସେଠୀ, ତରୁଣସେନ ନାୟକ ଓ ଇଶା ଧର ପ୍ରମୁଖ ଉପସ୍ଥିତ ଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *