ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାର କଲେଜରେ ସଚେତନତା ରାଲି ଓ ସାଧାରଣ ସଭା

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାର କଲେଜରେ ସଚେତନତା ରାଲି ଓ ସାଧାରଣ ସଭା

News by Smrutiranjan Tripathy (CTC)

ଚୌଦ୍ୱାର(ଏନ୍‌.ଏମ୍‌.):ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଚୌଦ୍ୱାରକଲେଜ ଜାତୀୟ ସେବା ଯୋଜନା, ତମାଖୁ ନିୟନ୍ତ୍ରଣ ସେଲ୍‌, ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗ କ୍ରମେ ମଇ ମାସ ୩୧ ତାରିଖ ଦିନ ୧୦ଘଟିକା ସମୟରେ ଏକ ବିଶାଳ ଜନସଚେତନତା ରାଲି କଲେଜ ମୁଖ୍ୟ ଫାଟକରୁ ଆରମ୍ଭ ହୋଇ ଚୌଦ୍ୱାର ସ୍ଥିତ କଳିଙ୍ଗ ଛକ ପ୍ରର୍ଯ୍ୟନ୍ତ ଯାଇଥିଲା । ଏହି ସଚେତନତା ରାଲିକୁ ଚୌଦ୍ୱାର କଲେଜର ଅଧ୍ୟକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତା ଉଦଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନାର ସଂଯୋଜିକା ଡକ୍ଟର ପ୍ରଭାବତୀ ପଢିୟାରୀ, ଆଣ୍ଟି ଟବାକୋ ସେଲ୍‌ର ନୋଡାଲ ଅଫିସର ପ୍ରାଧ୍ୟାପିକା ରଶ୍ମୀ ରାଉତରାଏ, ବାଣିଜ୍ୟ ବିଭାଗର ମୂଖ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ଅଧ୍ୟାପିକା ମମତା ସାହୁ ଓ ଅଫିସ କର୍ମଚାରୀ ଅଶୋକ କୁମାର ଦାସ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ବିଶାଳ ଜନ ସଚେତନତା ରାଲିର ନେତୃତ୍ୱ ନେଇଥିଲେ । ତମାଖୁ ବର୍ଜନ ସଚେତନତା ରାଲି ଚୌଦ୍ୱାର ସ୍ଥିତ କଳିଙ୍ଗ ଛକ ପରିକ୍ରମା କରିବା ସହ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ତମାଖୁ ଦ୍ରବ୍ୟ ସେବନରୁ ବିରତ ରହିବାକୁ ପରାମର୍ଶ ଦେଇଥିଲା । ରାଲି ସମାପ୍ତ ପରେ ଚୌଦ୍ୱାର କଲେଜ ପରିସର ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଅଧ୍ୟକ୍ଷ ଡକ୍ଟର ଦେବତାଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା । ଯନ୍ତ୍ରଣା ଦାୟକ ମୃତ୍ୟୁର ଅନ୍ୟ ନାମ ତମାଖୁ । ସିଗାରେଟ, ଗଞ୍ଜେଇ, ଗୁଡ଼ାଖୁ, ଗୁଟ୍‌ଖା ଏ ସବୁ ହେଉଛି ତମାଖୁ ଅନ୍ତର୍ଭୁକ୍ତ । ନିୟମିତ ତମାଖୁ ବ୍ୟବହାର କରିବା ଯୋଗୁଁ ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନ୍‌ସରରେ ଆକ୍ରାନ୍ତ ହେଉଛନ୍ତି । ଆମେ ବ୍ୟବହାର କରୁଥିବା ତମାଖୁ ମଧ୍ୟରେ ନିକୋଟିନ୍‌, ଆମେନିଆ, ଆର୍ସେନିକ୍‌, କାର୍ବନ୍ ମନୋକ୍ସାଇଡ଼୍‌, ହାଇଡ୍ରୋଜେନ୍ ସାଇନାଇଡ଼୍ ଓ ନାଫଥାଲିନ୍ ଭଳି ୪୦୦୦ରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ ରହିଛି ବୋଲି ଅଧ୍ୟକ୍ଷ ଡକ୍ଟର ଦେବତା ନିଜ ବକ୍ତବ୍ୟରେ କହିଥିବା ବେଳେ ନିୟମିତ ତମାଖୁ ସେବନ କରିବା ଦ୍ୱାରା ମୁହଁ, ଜିଭ, ଓଠ, ଗାଲ, ସ୍ୱରଯନ୍ତ୍ର ପରି ଅଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥାଏ । ତମାଖୁ ସେବନ କ୍ଷଣିକ ମାନସିକ ଶାନ୍ତି ଦିଏ ସିନା, କିନ୍ତୁ ଯାବତୀୟ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି କଲେଜ ର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ ନିଜ ଅଭିଭାଷଣରେ କହିଥିଲେ । ସଉକରୁ ତମାଖୁ ଖାଇବା ଆରମ୍ଭ ହୋଇ ଧୀରେ ଧୀରେ ଅଭ୍ୟାସରେ ପରିଣତ ହୁଏ ଏବଂ କିଛି ଦିନ ପରେ ବଦଭ୍ୟାସରେ ପରିଣତ ହୋଇଥାଏ ବୋଲି ତମାଖୁ ନିୟନ୍ତ୍ରଣ ସେଲ୍‌ର ସଭ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ମତବ୍ୟକ୍ତ କରିଥିଲେ । ଆମ ଦେଶରେ ୨୫ କୋଟିରୁ ଅଧିକ ତମାଖୁ ଜନିତ କର୍କଟ ରୋଗୀ ଥିବା ବେଳେ ପ୍ରତି ବର୍ଷ ୮ ଲକ୍ଷ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି । ତମାଖୁ ସେବନର କୁ-ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଉଛି ବୋଲି ଚୌଦ୍ୱାର କଲେଜ ତମାଖୁ ନିୟନ୍ତ୍ରଣ ସେଲ୍‌ର ନୋଡାଲ ଅଫିସର ରଶ୍ମୀ ରାଉତରାଏ ନିଜ ଭାଷଣରେ କହିଥିଲେ । କାର୍ଯ୍ୟକ୍ରମର ଛାମୁଆ ଜାତୀୟ ସେବା ଯୋଜନାର ମୁଖ୍ୟ ସଂଯୋଜିକା ବରିଷ୍ଠ ଅଧ୍ୟାପିକା ଡକ୍ଟର ପ୍ରଭାବତୀ ପଢିହାରୀ କହିଥିଲେ କି କ୍ୟାନ୍‌ସରର ମୁଖ୍ୟ କାରଣ ହେଉଛି ତମାଖୁ । ତମାଖୁରେ ୬୦ ହଜାର ଉପାଦାନ ରହିଛି ଯାହାକି କ୍ୟାନ୍‌ସର କରିଥାଏ । ନିୟମିତ ତମାଖୁ ଖାଇଲେ ୧୭ ପ୍ରକାର କ୍ୟାନ୍‌ସର ହୋଇଥାଏ ।ଅନ୍ୟତମ ବକ୍ତା ବସନ୍ତ କୁମାର ବିଶ୍ୱାଳ ନିୟମିତ ତମାଖୁ ସେବନ ଫଳରେ ହୃଦ୍‌ଘାତ ଓ ମସ୍ତିସ୍କାଘାତ ହୋଇଥାଏ ବୋଲି କହିଥିବା ବେଳେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଲୋପାମୁଦ୍ରା ବର୍ଦ୍ଧନ ସୁରଜ ନାୟକ ଓ ସ୍ୱଦେଶ ପ୍ରମୁଖ ତମାଖୁ ବର୍ଜନକୁ ଆଜି ଦିନରେ ଆହ୍ୱାନ ଭାବେ ଗ୍ରହଣ କରିବାକୁ ଶପଥ ନିଅନ୍ତୁ ବୋଲି କହିଥିଲେ । ରକ୍ତଚାପ ବଢ଼ିବାର ମୁଖ୍ୟ କାରଣ ତମାଖୁ । ତମାଖୁ ସେବନ କରିବା ଦ୍ୱାରା ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କମିଯାଏ । ତମାଖୁ ସେବନ ମାନସିକ ଚାପ ଓ ଅନିଦ୍ରାର କାରଣ ହୋଇଥାଏ । ନିୟମିତ ତମାଖୁ ଖାଇବା ଫଳରେ ଚର୍ମ ଖରାପ ହୋଇଥାଏ । ଦୃଷ୍ଟିଶକ୍ତି କମିବାର ମୁଖ୍ୟ କାରଣ ମଧ୍ୟ ତମାଖୁ । ତମାଖୁ ସେବନ ଦ୍ୱାରା ବନ୍ଧ୍ୟାଦୋଷ ସମସ୍ୟା ବଢ଼ିଥାଏ ବୋଲି ଛାତ୍ର ଛାତ୍ରୀମାନେ ନିଜ ନିଜର ଭାଷଣରେ କହିଥିଲେ । ଏହି ସଚେତନତା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା କ୍ଷିରାବ୍ଧୀ ଚୌଧୁରୀ, ଅର୍ଥନୀତିର ପ୍ରାଧ୍ୟାପିକା ନୁରଜାହାନ ବେଗମ, ରସାୟନ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଯୁକ୍ତେଶ୍ୱର ଦାସ, ଚନ୍ଦ୍ର ଶେଖର ପଣ୍ଡା, ମୋହିତ କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *