ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଫଟୋ: ରମେଶ ଦାସ (ମାହାଙ୍ଗା)


ଯାଜପୁର(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ’ ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ତଥା ବିଶିଷ୍ଟ ଜନନାୟକ ଓ ସାରସ୍ୱତ ସାଧକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ରବୀନ୍ଦ୍ର ମଣ୍ଡପ ବାଲିଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଯୋଗଦେଇ ଶ୍ରାଦ୍ଧ ଉତ୍ସବକୁ ଉଦ୍ଘାଟନ ପୂର୍ବକ ଜାନକୀ ବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା ସାହିତ୍ୟିକ ଯଚିନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ଯାଜପୁରର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶିଶିର କୁମାର ନାୟକ, ବୌଦ୍ଧ ଗବେଷକ ଡକ୍ଟର ହରିଶ୍ଚନ୍ଦ୍ର ପୃଷ୍ଟି, ସାହିତ୍ୟିକ ଡକ୍ଟର ଭାଗ୍ୟଧର ସାହୁ ଓ ଆଗାମୀ ଶତାବ୍ଦୀର ସମ୍ପାଦକ ସେକ ମସୁଦ ଅଲି ଯୋଗଦେଇଥିଲେ । ଏହି ଅବସରରେ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କୁ “ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ’ ଓ ସାହିତ୍ୟିକ ପଣ୍ଡିତ ଡକ୍ଟର ସୁର୍ଯ୍ୟମଣି ଖୁଣ୍ଟିଆଙ୍କୁ “ଜାନକୀ ବଲ୍ଲଭ ପଟ୍ଟନାୟକ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ହରିଶ୍ଚନ୍ଦ୍ର ପୃଷ୍ଟି, ଡକ୍ଟର ଚିତ୍ତ ରଞ୍ଜନ ମହାନ୍ତି, ଅଧ୍ୟାପକ କୃଷ୍ଣଚନ୍ଦ୍ର ମହାପାତ୍ର, ହୋଲି ଯେସସ ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ, ଯୁବ ସମାଜସେବୀ ଆଲୋକ ଜେନା, ସାମ୍ବାଦିକ ଦୀପକ କୁମାର ସାହୁ, ସାମ୍ବାଦିକ ପ୍ରବାସ ଦାଶ ଓ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ଉପ ସଭାପତି କବି ରୁଦ୍ର ପ୍ରସନ୍ନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ସାମ୍ବାଦିକ ଏକାଦଶୀ ସେଠୀ ବିବରଣୀ ପାଠ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ ସମ୍ପାଦକ ଅଜୟ କୁମାର ଜେନା ଭକ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ ଶିଶୁ ସାହିତ୍ୟିକ ସରୋଜ କାନ୍ତ ପରିଜା ସ୍ୱରଚିତ କବିତା ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ ଉପ ସଭାପତି ପୂର୍ବତନ ସରପଞ୍ଚ ବିଳାଶ ଚନ୍ଦ୍ର ବାରିକ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *