ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ୍‌.ଏମ୍‌.): କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରାଧ ନିୟନ୍ତ୍ରଣ କରିବା ନିମନ୍ତେ ସିସିଟିଭିର ସହାୟତା ନିିଆଯାଇଥାଏ । ଏଥି ପାଇଁ ସହର ସମେତ ଗୁରୁତ୍ୱପୂର୍ଣ୍ଣ ତଥା ଛକ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଛି ଦିନ ମଧ୍ୟରେ ଏହି ସିସିଟିଭ କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ୁଥିବା ଦେଖିବାକୁ ମିଳିିଛି । ତେବେ କଟକ କମିଶନରେଟ ପୁଲିସ ଅଞ୍ଚଳରେ ଅପରାଧ ରୋକିବା ନିମନ୍ତେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ଅନେକ ଅଚଳ ହୋଇପଡ଼ିଥିବା ଘଟଣା ଚର୍ଚ୍ଚାକୁ ଆସିଛି । ତେବେ ଜଗତପୁର ଥାନା ଅନ୍ତର୍ଗତ ଗୋଲେଇଛକ ଠାରେ ଲାଗିଥିବା କ୍ୟାମେରା ମଧ୍ୟ ଅଚଳ ହୋଇପଡ଼ିବା ପରେ ଅପରାଧୀମାନେ ନିର୍ବଘ୍ନରେ ଅପରାଧ ଘଟାଇବେ ବୋଲି ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀମାନେ ଅଭିଯୋଗ ଆଣିଛନ୍ତି ।
ପୁଲିସର ତଦନ୍ତପ୍ରକ୍ରିୟା ଅନେକ ସମୟରେ ସିସି କ୍ୟାମେରା ଉପରେ ନିର୍ଭର କରିଥାଏ । ବିଶେଷ କରି ଛକରାସ୍ତା ଭଳି ପ୍ରମୁଖ ସ୍ଥାନ ଗୁଡିକରେ ଛିନତାଇ, ଲୁଟ ଘଟଣା ଘଟାଉଥିବା ଅପରାଧିଙ୍କ ଗତିବିଧି ଏଥିରେ ସହଜରେ କଏଦ ହୋଇଯାଇଥାଏ । ଏହି କ୍ରମରେ ଜଗତପୁର ଗୋଲେଇ ଛକ ରାଜ୍ୟର କେତେକ ବୃହତ ଛକ ମଧ୍ୟରେ ଅନ୍ୟତମ ହୋଇଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଏଠାରେ ସିସି କ୍ୟାମେରା ଲଗାଯାଇଥିଲା । ଏଥିପାଇଁ କେବଳ ଗୋଟିଏ ପାଇପରେ ୩ ଗୋଟି ସିସି କ୍ୟାମେରା ଲଗାଯାଇଛି । ମାତ୍ର ଏହା କାର୍ଯ୍ୟକାରୀ ହେବା ତ ଦୂରର କଥା ବରଂ ତାହା ଏବେ ଭାଙ୍ଗିରୁଜି ତଳକୁ ଝୁଲି ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି ସ୍ଥାନରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହେଉଥିଲେ ବିକେହି ଅସାମାଜିକ ବ୍ୟକ୍ତି କ୍ୟାମେରାକୁ ଭାଙ୍ଗିଦେଇଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।ତେବେ ଏହି ୩ଟି କ୍ୟାମେରା ଏବେ କାର୍ଯ୍ୟକାରୀ ହେଉଛିକି ନାହିଁ ତାହା ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି । ଯେଉଁ ଉଦ୍ଦେଶ୍ୟରେ ପୁଲିସ ପ୍ରଶାସନ ଗୋଲେଇଛକ ପରିସରରେ ସିସି କ୍ୟାମେରା ଲଗାଯାଇ ଥିଲା, ସେଥରୁ କେତେ ସଫଳତା ମିଳିଛି ତାହା ଜାଣିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଏଠାରେ ଉଲ୍ଲେଖ ଥାଉକି, ଗୋଲେଇଛକ ଆଖ ପାଖରେ ଦୀର୍ଘ ବର୍ଷ ଧରି ଶହ ଶହ ସଂଖ୍ୟାରେ ବଞ୍ଜାରା ପରିବାର ରହି ଆସୁଛନ୍ତି । ଏହି ବଞ୍ଜାରାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବାରୁ ସେମାନଙ୍କୁ ଜିଲ୍ଲାପାର କରାଯିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଏମାନଙ୍କ ସଂଖ୍ୟା ଜଗତପୁରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯଦି ଆଗାମୀ ଦିନରେ ରାସ୍ତା ଉପରେ କୌଣସି ଅପରାଧିକ କାର୍ଯ୍ୟକଳାପ ଘଟେ ଏହି ସିସି କ୍ୟାମେରା ପୁଲିସକୁ ତଥ୍ୟ ଯୋଗାଇ ପାରିବ ତ ବୋଲି ବୁଦ୍ଧିଜୀବୀମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *