ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଟାଟା ପାୱାର ସହିତ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଟାର୍ଗେଟେଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ଶକ୍ତି କ୍ଷେତ୍ରର ବିକଶିତ ଚାହିଦା ପାଇଁ ସେମାନଙ୍କର ଉନ୍ନତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା । ଶ୍ରୀମତୀ ପାଢ଼ୀ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶରେ ଉତ୍କର୍ଷ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଶିକ୍ଷଣ ମଡ୍ୟୂଲ ଏବଂ ପ୍ରାକ୍ଟିକାଲ ଅଧିବେଶନରେ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ ହେବା ସହିତ ବିଶ୍ୱ ବଜାରରେ କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଏବଂ ବିଶ୍ୱସନୀୟତାକୁ ସୁଦୃଢ କରିବ ବୋଲି ଆଶା କରାଯାଏ । ଟାଟା ପାୱାର ସହିତ ସହଯୋଗ ଅତ୍ୟନ୍ତ ଦକ୍ଷ ପେସାଦାର ଉତ୍ପାଦନ ଦିଗରେ ଏକ ପଦକ୍ଷେପକୁ ସୂଚିତ କରେ । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜି. ଏବଂ ଟାଟା ପାୱାରର ଟି ଆଣ୍ଡ ଡି ସଭାପତି ସଞ୍ଜୟ ବଙ୍ଗା ଆଜିର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ଫଳରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ପ୍ରଥମ ବର୍ଷରେ ଟାଟା ପାୱାର ଦକ୍ଷତା ବିକାଶ କେନ୍ଦ୍ର ନିକଟରେ ଥିବା ୨୦ଟି ସରକାରୀ ଆଇଟିଆଇ (ପ୍ରତି ଡିସ୍କମରେ ୫ଟି)ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି । ପରବର୍ତ୍ତୀ ବର୍ଷଗୁଡ଼ିକରେ ଅନ୍ୟ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ । ଟାଟା ପାୱାର ଓଡ଼ିଶାର ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ସହ ପରାମର୍ଶ କରି ଏଭଳି ମଡ୍ୟୂଲ୍ ପ୍ରସ୍ତୁତ କରିବ, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ମଡ୍ୟୂଲ୍‌ଗୁଡ଼ିକ ଶକ୍ତି କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନକୁ ଅନ୍ତର୍ଭୁକ୍ତ କରେ । ବାସ୍ତବ ଦୁନିଆର ଅନୁଭୂତି ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ଡିସ୍କମର ହ୍ୟାଣ୍ଡସ୍‌ଅନ୍ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିବେ । ଏହି ପ୍ରଦର୍ଶନ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟକୁ ସୁରକ୍ଷିତ ଏବଂ ଦକ୍ଷତାର ସହ ସମ୍ପାଦନ କରିବାରେ ସାହାଯ୍ୟ କରିବ ଏହା ବ୍ୟତୀତ ନେଟ୍‌ୱାର୍କ କଣ୍ଟ୍ରୋଲ ସେଣ୍ଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବ୍‌ଷ୍ଟେସନ ପରିଦର୍ଶନ କରି ବିଦ୍ୟୁତ କ୍ଷେତ୍ରର ଉପକରଣ ସମ୍ପର୍କରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *