ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତିଙ୍କ ସମେତ ୨ଜଣ ରାଷ୍ଟ୍ର ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି । ତେବେ ହଠାତ ରାଜ୍ୟର ୨ଜଣ ମନ୍ତ୍ରୀ ଓ ବାଚସ୍ପତି ଇସ୍ତଫା ଦେବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚର୍ଚ୍ଚିତ ହୋଇ ଉଠିଛି । ଏହି ୩ଜଣଙ୍କୁ ଆଗାମୀ ଦିନରେ ଅନ୍ୟ କେଉଁ ବିଭାଗର ଦାୟିତ୍ୱ ମିଳିବ କି ନାହିଁ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏମାନଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଇଛନ୍ତି କି ଏମାନେ ନିଜ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଓଡ଼ିଶାରେ ପ୍ରଥମ କରି ବିଧାନ ପରିଷଦ ଗଠନ ହେବ; ତେଣୁ ଏମାନଙ୍କୁ ସେଠାରେ ସ୍ଥାନ ପାଇବା ପାଇଁ କୁଆଡେ ଏମାନେ ମିଳିଥିବା ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି । ପୁଣି ଶୁଣିବାକୁ ମିଳୁଛି ଯେ, ସମ୍ପ୍ରତି ରାଜ୍ୟରେ କିଛି ନେତାଙ୍କ ନାମରେ ଅପବାଦ ଥିବାରୁ ସେମାନଙ୍କୁ ଦାୟିତ୍ୱ ଛଡ଼ାଇ ସେଠାରେ ନୂଆ ମୁହଁଙ୍କୁ ଆଣି ଦଳ ନିଜର ସ୍ୱଚ୍ଛତା ବଜାୟ ରଖିବା ସହ ଆଗାମୀ ୨୦୨୪ ନିର୍ବାଚନ ବୈତରଣୀ ସୁରୁଖୁରେ ପାର କରିବାର ଏକ ପରିକଳ୍ପନା । ଏହି ପରିପ୍ରେକ୍ଷୀରେ ବାଚସ୍ପତି ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି । ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି । ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି । ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ । ଜୁନ୍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଏହା ପରେ ବାଚନିକ ଭୋଟରେ ଶ୍ରୀ ଆରୁଖ ନିର୍ବାଚିତ ହୋଇଥିଲେ ବୋଲି ଘୋଷଣା କରିଥିଲେ ଉପବାଚସ୍ପତି । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ହଠାତ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥି ସହିତ ଝାରସୁଗୁଡ଼ାରୁ ପ୍ରାର୍ôଥନୀ ଦିପାଳୀ ଦାସ ବିଜୟ ଲାଭ କରିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *