ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ବେଳେ ଯେଉଁଭଳି ଭାବେ ଅନ୍ଧାର ହୋଇଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ରାଷ୍ଟ୍ରପତିଙ୍କ ଭଳି ଜଣେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା କ୍ଷମଣୀୟ ନୁହେଁ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏସବୁକୁ ଯାଞ୍ଚ କରାଯାଇଥିଲା କି ନାହିଁ ତାହାକୁ ନେଇ ମଧ୍ୟ ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଅଭିଭାଷଣ ରଖିବା ସମୟରେ ହଠାତ୍ ପ୍ରେକ୍ଷାଳୟ ଅନ୍ଧାର ହୋଇଯିବା ଘଟଣାକୁ ଆଦୌ ହାଲୁକା ଭାବେ ଗ୍ରହଣ କରାଯିବା ଅନୁଚିତ । ତେଣୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ବିଭ୍ରାଟ ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପରିଷଦ ପକ୍ଷରୁ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦୋଷୀଙ୍କୁ ଗିରଫଦାବି କରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାଷଣ ଦେଉଥିବାବେଳେ ଉକ୍ତ ପ୍ରେକ୍ଷାଳୟ ୯ମିନିଟ ଧରି ଅନ୍ଧାର ହୋଇଯାଇଥିଲା । ପୁନଶ୍ଚ ପ୍ରେକ୍ଷାଳୟରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସହ ଡାକବାଜି (ମାଇକ)କୁ ବିଦ୍ୟୁତ ସଂଯୋଗ ରହିଥିବାବେଳେ ଆଲୋକ କିଭଳି ଲିଭିଗଲା ତାହା ତଦନ୍ତ ସାପେକ୍ଷ । ତେଣୁ ଏହି ଘଟଣା ପାଇଁ ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ, ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ହିଁ ଦାୟୀ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ତେଣୁ ଦାୟୀ ସମସ୍ତ ଦୋଷୀଙ୍କୁ ଗିରଫ କରିବା ନିମନ୍ତେ ରାଜ୍ୟପାଳଙ୍କ ନିକଟରେ ନିବେଦନ କରାଯାଇଛି । ପୁନଶ୍ଚ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଜାଣି ମଧ୍ୟ ରାଜ୍ୟସରକାର ବିଦ୍ୟୁତଯୋଗାଣ ନିଶ୍ଚିତ କରିପାରିଲେ ନାହିଁ । ଏହି ଘଟଣାରେ ସଂପୃକ୍ତ ବିଭିନ୍ନ ବିଭାଗର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ନିଜ ଦୋଷକୁ ଘୋଡାଇବାକୁ ଯାଇ ଜଣେ ଠିକା କର୍ମଚାରୀଙ୍କୁ ସସ୍‌ପେଣ୍ଡ କରି ଚୁପ ହୋଇ ବସିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଆଇନଜୀବୀ ଅକ୍ଷୟ କୁମାର ସାମଲ, ଶିବଚରଣ ବାରିକ, ସୌମେନ୍ଦ୍ର ସେଠୀ, କିଶୋର ବେହେରା, ସଞ୍ଜୟ ରାୟ, ଅଚ୍ୟୁତ ମଣ୍ଡଲ, ଚୈତନ୍ୟ ସାମଲ, ସୁମନ ଦାସ, ଅମର ସାମଲ, ଶ୍ୟାମ ସାମଲ, ବଳରାମ ସ୍ୱାଇଁ, ଜୁନେଦ ଖାନ, କୈଳାସ ଚନ୍ଦ୍ର ତ୍ରିପାଠୀ, ସୁମନ ଦାସ, ବାସୁଦେବ ସାମଲ, ରବି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *