News by Padmalochan Mishra (Cuttack)

୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ : ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ୱାନ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟସ୍ତରୀୟ ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ କଟକ ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ôଥକ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ । ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଏବଂ ଉଚ୍ଚକୋଟିର କର୍ତ୍ତବ୍ୟନିଷ୍ଠା,ସାଧୁତା ତଥା ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୁଲିସ କର୍ମଚାରୀ ତଥା ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ପୁଲିସ ବିଭାଗର ସାମଗ୍ରିକ ବିକାଶ ହୋଇଛି ବୋଲି ଡିଜିପି ମତବ୍ୟକ୍ତ କରିବା ସହ ନୂତନ ଥାନା, ଫାଣ୍ଡି ଏବଂ ପଦପଦବୀ ସୃଷ୍ଟି କରାଯାଇ ପୁଲିସର ମନୋବଳ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି । ଏହା ସହ ପୁଲିସ ବିଭାଗରେ ଏସ୍‌ଆଇ,ଏଏସ୍‌ଆଇ ଏବଂ କନେଷ୍ଟବଳ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଥିଲେ । ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା, ଜଟିଳ ଅପରାଧ ଦମନ, ମାଓବାଦୀ ସମସ୍ୟାର ମୁକାବିଲା ସହ ସମସ୍ତଙ୍କ ସହଯୋଗରେ ଓଡିଶା ପୁଲିସକୁ ଏକ ନୂତନ ଶିଖରରେ ପହଁଚାଇବାକୁ ଆମ ସମସ୍ତଙ୍କ ଉଦ୍ୟମ ଜାରି ରହିବ ବୋଲି ଡି.ଜି.ପି ଶ୍ରୀ ବଂସଲ କହିଛନ୍ତି ଏହା ସହ ପୁଲିସ ବିଭାଗର ମୋ ସରକାର ଏବଂ ୫-ଟି ଯୋଜନା ଭଲରେ କାର୍ଯ୍ୟକାରୀ ହେଉଛି ବୋଲି ଡିଜିପି ସୂଚନା ଦେଇଥିଲେ । ବିଭିନ୍ନ ସମୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ନିକଟରେ ସମାପ୍ତ ହୋଇଥିବା ହକି ବିଶ୍ୱକପ – ୨୦୨୩ ର ସୁପରିଚାଳନାରେ ପୁଲିସ ବାହିନୀ ଦାୟିତ୍ୱର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଡିଜିପି ଶ୍ରୀ ବଂସଲ ସମସ୍ତ ପୁଲିସ କର୍ମଚାରୀ, ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ । ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଆର୍‌.କେ.ଶର୍ମା ପାଠ କରିଥିଲେ । ଉଲ୍ଲେଖନୀୟ ପୁଲିସ ସେବା ପାଇଁ ଅଧିକାରୀଙ୍କୁ ମୁଖ୍ୟ ଅତିଥି ଆର୍ôଥକ ପୁରସ୍କାର ପ୍ରଦାନ କରିଥିଲେ । ପଞ୍ଚମ ଆଇ.ଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ଓ.ଏସ୍‌.ଏ.ପି ଷଷ୍ଠ ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର , କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରେଡରେ ୧୦ଟି ଦଳ ଭାଗ ନେଇଥିଲେ । ଚନ୍ଦକା ଏସ୍‌ଓଜି ପ୍ରଥମ ସ୍ଥାନ ଏବଂ ଓଆଇଏସ୍‌ଏଫ୍ ଦ୍ୱିତୀୟ ସ୍ଥାନ ଅଧିକାର ପୁରସ୍କୃତ ହୋଇଥିଲେ । ମୁଖ୍ୟ କମାଣ୍ଡର ଅମ୍ରିତପାଲ୍ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀ,ସେବା ନିବୃତ୍ତ ଅଧିକାରୀ ପୁଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *