ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ
ପଦ୍ମଶ୍ରୀ ପ୍ରମୋଦଙ୍କୁ ଭାରତ ଗୌରବ ସମ୍ମାନ

News By Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଜୟଭାରତ ଫାଉଣ୍ଡେସନର ଆଜି ୨୩ତମ ପ୍ରତିଭା ସମ୍ମାନ ସମାରୋହ ରାମଦାସପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗ୍ରାମ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ବେଶ ପ୍ରଶଂସିତ ହୋଇଥିବା ଭାରତ ମସଲାର କାର୍ଯ୍ୟଶୈଳୀ, ବନ୍ୟା, ବାତ୍ୟା ସମୟରେ ଗରିବ ଜନସାଧାରଣଙ୍କୁ ସହାୟତା ଯୋଗାଇଦେବା ସହିତ ବିଭିନ୍ନ କ୍ଷେତ୍ରରେ ଦେଶ ଓ ରାଜ୍ୟରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରିବା ଆମ ରାଜ୍ୟ ପାଇଁ ଗୈାରବ ବୋଲି କହିଥିଲେ । ଏହି ଅବସରରେ ଜୟ ଭାରତ ଟ୍ରଷ୍ଟ ପକ୍ଷରୁ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପାରା ଅଲିମ୍ପିଆନ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଭାରତ ଗୌରବ ସମ୍ମାନ, ସାହିତ୍ୟ କ୍ଷେତ୍ରରେ କଥାକାର ପ୍ରଫେସର ଡକ୍ଟର ଦାଶରଥି ଦାସ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡିଆ ପୁଅ ଆଇଆରଏସ ମନୋରଂଜନ ପାଣିଗ୍ରାହୀ ‘ସେବା ଭାରତ’, ମହିଳା କ୍ରିକେଟ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ଓଡିଆ ଝିଅ ମଧୁସ୍ମିତା ବେହେରା ‘କ୍ରୀଡା ଭାରତ’, ଓଡିଶା ସିନେ ଜଗତର ବରିଷ୍ଠ କଳାକାର ତଥା ପ୍ରଯୋଜକ, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା । ପ୍ରଶାନ୍ତ ନନ୍ଦ ଅନୁପସ୍ଥିତ ଯୋଗୁ ତାଙ୍କର ସାନଭାଇ ଶ୍ରୀକାନ୍ତ ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା +୨ ବାଣିଜ୍ୟରେ ଶୁଭଶ୍ରୀ ପଟ୍ଟନାୟକ, କଳାରେ ପ୍ରିୟଙ୍କା ସାହୁ ଓ ବିଜ୍ଞାନରେ ଜିତେନ ମହାଳିକଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କମ୍ପାନୀ ଭିତ୍ତିଭୂମି ଉପରେ ଆଲୋକପାତ କରି ସମଗ୍ର ରାଜ୍ୟରେ ମସଲା ପ୍ରସ୍ତୁତକାରୀ ସଂସ୍ଥା ମଧ୍ୟରେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଆଗାମୀ ଦିନରେ ଏହା ନମ୍ବର ୱାନ୍ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ମେୟର ସୁବାସ ସିଂହ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ନମିତା ପଣ୍ଡା, ଅପରେସନ ଜିଏମ ଅରୁଣ କୁମାର ନାୟକ ଏବଂ ପ୍ରଡକ୍ସନ ଜିଏମ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରିଚାଳନା ବୋର୍ଡର ସଦସ୍ୟ ପ୍ରଫୁଲ୍ଲ ସିଂହ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *