ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବାକୁ ରାଜ୍ୟ ସରକାରଙ୍କ ଅନୁମତି
୧ରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି


କଟକ(ଏନ୍‌.ଏମ୍‌.): ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଶେଷରେ ରାଜ୍ୟ ସରକାର ଦର୍ଶକଙ୍କ ଲାଗି ଅନୁମତି ଦେଇଛନ୍ତି । ବିସିସିଆଇ ଦର୍ଶକଙ୍କ ମଧ୍ୟରେ ମ୍ୟାଚ୍ ହେବା ପାଇଁ ସବୁଜ ସଂକେତ ଦେବା ପରେ ରାଜ୍ୟ ସରକାରଙ୍କ ଅନୁମତି ଅପେକ୍ଷା କରି ବାକୁ ପଡ଼ିଥିଲା । ରାଜ୍ୟ ସରକାର ଅନୁମତି ଦେବା ଫଳରେ ଷ୍ଟାଡିୟମ ଭିତରେ ଦର୍ଶକଙ୍କୁ ଅନୁମତି ମିଳିବାକୁ ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ତାହା ଦୂର ହୋଇଛି । ଏହି ମ୍ୟାଚ ପାଇଁ ଓସିଏ କର୍ମକର୍ତ୍ତାଙ୍କ ସହିତ ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକୁ ନେଇ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହେବା ପରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ନେଇ ରାଜ୍ୟ ସରକାର ଅନୁମତି ଦେଇଥିବା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେଣୁ ଦର୍ଶକମାନେ ପୂର୍ଣ୍ଣମାତ୍ରାରେ ଷ୍ଟାଡିୟମକୁ ଆସିଲେ କୌଣସି ଅସୁବିଧା ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ମ୍ୟାଚ ପାଇଁ ଉଭୟ ଦଳ ୧୦ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ମେ ଫେୟାର ହୋଟେଲରେ ଖେଳାଳିମାନଙ୍କ ରହିବା ବ୍ୟବସ୍ଥା ହୋଇଥିଲାବେଳେ ୧୧ ତାରିଖରେ ଅଭ୍ୟାସ ଓ ୧୨ ତାରିଖରେ ମ୍ୟାଚ ଖେଳାଯିବ । ୧୩ ତାରିଖରେ ଉଭୟ ଦଳ ଭୁବନେଶ୍ୱରରୁ ବିଦାୟ ନେବେ । ତେବେ ଜୁନ୍ ୧ ତାରିଖରୁ ଟିକଟ ବିକ୍ରି ଆରମ୍ଭ ହେବ । ବାରବାଟୀ ଷ୍ଟାଡିୟମରେ ୪୪୨୩୪ ଦର୍ଶକ ବସିବା କ୍ଷମତା ରହିଥିଲାବେଳେ ସେଥିରୁ ୨୯୧୫୪ ଟିକଟ ବିକ୍ରି କରାଯିବ । ଏଥିରୁ ୮ହଜାର ଟିକଟ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସସ୍ଥାଙ୍କ ପାଇଁ ବିକ୍ରି ହେବ ଏବଂ ୨୧୧୫୪ ଟିକଟ ଅନ୍‌ଲାଇନ୍ ଓ କାଉଣ୍ଟରରେ ବିକ୍ରି ହେବ । ପ୍ରଥମେ ୫ହଜାର ଟିକଟକୁ ଅନ୍‌ଲାଇନ୍‌ରେ ଛଡ଼ାଯିବ । ପେଟିଏମ୍ ଦ୍ୱାରା ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ହେବ । ଜୁନ୍ ୯ରୁ ୧୨ ତାରିଖ ମଧ୍ୟରେ କେମ୍ବ୍ରିଜ ସ୍କୁଲ୍ ଓ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲ୍ ସହିତ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଅନ୍‌ଲାଇନ୍ ଟିକଟ ବିକ୍ରୟ କରାଯିବ । ଏହାବାଦ୍ ଜୁନ୍ ୭ ଓ ୮ ତାରିଖରେ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସଂସ୍ଥାମାନଙ୍କୁ ଓସିଏ କନଫରେନ୍ସ ହଲ୍‌ରେ ଟିକଟ ବିକ୍ରି କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍ ୯ ଓ ୧୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକଟ ବିକ୍ରି ହେବ । ଜଣେ ନିଜର ପରିଚୟ ପତ୍ର ଦେଖାଇ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକଟ କିଣିପାରିବେ । ଟିକଟ କାଉଣ୍ଟରର ସୁରକ୍ଷା ପାଇଁ ସିସି କ୍ୟାମେରା ଲଗାଯିବ । ଚଳିତ ମ୍ୟାଚ ପାଇଁ ଟିକଟ ଦର ବୃଦ୍ଧି କରାଯାଇଛି । ଗ୍ୟାଲେରି ନମ୍ବର ୧, ୩ ଓ ୫ର ଦାମ୍ ୯୦୦ ଟଙ୍କା ରଖାଯାଇଥିଲାବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି । ମରାମତି ହୋଇଥିବା ୭ ନମ୍ବର ଗ୍ୟାଲେରିର ମୂଲ୍ୟ ୬୦୦ ଟଙ୍କା, ୬ ନମ୍ବର ଗ୍ୟାଲେରିକୁ ଖେଳାଳି ରିହାତି ଭାବରେ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାବାଦ୍ ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନିୟୁ ପାଭିଲିୟନ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୧୨୦୦୦ ଟଙ୍କା ରଖାଯାଇଥିବା ଜଣାପଡ଼ିଛି ।
ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକ ତଥା ବିସିସିଆଇ, ଓସିଏ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ଷ୍ଟାଣ୍ଡ କରାଯାଇଛି । ଓସିଏ ସଦସ୍ୟ ଓ ଅନ୍ୟ ଅତିଥିଙ୍କ ପାଇଁ କ୍ରିକେଟ ଏକାଡେମୀ ପଡ଼ିଆ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌, ବିସିସିଆଇ ଅଧିକାରୀ, ମ୍ୟାଚ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ, ବିଚାରପତି ଓ ପ୍ରସାରଣ ଟିମ୍‌ଙ୍କ ପାଇଁ ହର୍ସ ଗେଟ୍ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା କରାଯାଉଛି । ମ୍ୟାଚ ଦେଖିବା ପାଇଁ ଗ୍ୟାଲେରି ସିଟ୍ ଗୁଡିକୁ ନମ୍ବର କରାଯାଉଛି । ଟିକଟରେ ଛପାଯାଇଥିବା ସିଟ୍ ନମ୍ବର ଅନୁସାରେ ଦର୍ଶକମାନେ ସେମାନଙ୍କ ସ୍ଥାନରେ ବସିବେ । ମ୍ୟାଚ ପାଇଁ ପଡ଼ିଆ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଦର୍ଶକଙ୍କ ପାଇଁ ବୀମା କରାଯାଇଛି । ପାଖାପାଖି ୫୦ କୋଟି ଟଙ୍କାର ବୀମା କରାଯାଇଛି । ଯେଉଁଥିରୁ ମ୍ୟାଚ ବାତିଲ ହେଲେ ୧୦ କୋଟି, ଅଗ୍ନିକାଣ୍ଡ ଜନିତ ସାମଗ୍ରୀ ନଷ୍ଟ ହେଲେ ୧୦ କୋଟି, ଦର୍ଶକଙ୍କ ପାଇଁ ୨୫ କୋଟି ଏବଂ ଗ୍ରୁପ୍ ପଲିସି ଅନୁଯାୟୀ ୫କୋଟି ଟଙ୍କା ବୀମା କରାଯାଇଛି । ଏହାବାଦ୍ ଫାୟାର ବଲ୍‌, ଫାୟାର ବ୍ଲାଙ୍କେଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅଗ୍ନିନିର୍ବାପକ ବ୍ୟବସ୍ଥା ମ୍ୟାଚରେ ବ୍ୟବହାର କରାଯିବ ବୋଲି କୁହାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍ ମୁତୟନ ଉପରେ କମିସନରେଟ ପୁଲିସ୍‌ର ପରେ ବୈଠକ ବସିବ । ତେବେ ଜୁରୁରୀକାଳୀନ ପରିସ୍ଥିତି ପାଇଁ ଦୁଇଟି ଗେଟ୍ ରଖାଯିବ ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ପାଖାପାଖି ୫୦ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି । ଏଥିସହିତ ମୌସୁମୀ ଆସୁଥିବାରୁ ବର୍ଷାରୁ ପଡ଼ିଆକୁ ରକ୍ଷା କରିବାକୁ ସଂପୂର୍ଣ୍ଣ ଘୋଡ଼ାଇ ହେଉଥିବା କଭରକୁ ଇଂଲଣ୍ଡରୁ ମଗାଯାଉଛି । ତାହାକୁ ପକାଇବା ପାଇଁ ୨୫ଜଣ ସ୍ୱତନ୍ତ୍ର କର୍ମଚାରୀ କୋଲକାତା ଇଡେନ୍ ଗାର୍ଡେନ୍‌ରୁ କଟକ ଆସିବେ । ଏଠାରେ ସେମାନଙ୍କର ୩ଦିନ ପାଇଁ ରହିବା ବ୍ୟବସ୍ଥା କରାଯାଉଛି । ୧୨ବର୍ଷ ତଳେ ନିର୍ମାଣ କରାଯାଇଥିବା ଖେଳାଳିଙ୍କ ଡ୍ରେସିଂ ରୁମ୍‌କୁ ନୂଆ ରୂପ ଦିଆଯାଉଥିବା ସଂଜୟ ବେହେରା ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ, କଟକ ଡିସିପି ପିନାକ ମିଶ୍ର, ସିଏମ୍‌ସି କମିସନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *