ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବେଆଇନ ପାଣି ଓ ବାଲି ଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ମହେଶ୍ୱର ବେହେରା (ଆଠଗଡ଼)

ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳରୁ ବେଆଇନ ଭାବରେ ପାଣି ଓ ବାଲି ଲୁଟ ଚାଲିଛି । ସରକାର ଏ ନେଇ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବାବେଳେ ମାଫିଆମାନେ କିଛି ଅସାଧୁ ଅଧିକାରୀଙ୍କୁ ହାତରେ ରଖି ମାଲେମାଲ ହେବାରେ ଲାଗିଛନ୍ତ । ତେଣୁ ଏଠାରେ ବେଆଇନ ପାଣି ଓ ବାଲି ଲୁଟକୁ ବିରୋଧ କରି ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଠଗଡ଼ ଅଞ୍ଚଳରେ ବହି ଯାଇଥିବା ମହାନଦୀରୁ ବେଆଇନ ଭାବରେ ବାଲି ଓ ପାଣି ଆଠଗଡ଼ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପ ଅନୁଷ୍ଠାନକୁ ଯେତିକି ପରିମାଣର ଯିବା କଥା ତାଠାରୁ ବହୁ ଗୁଣରେ ଅଧିକ ଯିବା ସହିତ ଶିଳ୍ପ ଅନୁଷ୍ଠାନ ଗୁଡିକର ବର୍ଜ୍ୟବସ୍ତୁ ମହାନଦୀରେ ମିଶିବା ଯୋଗୁ ମହାନଦୀର ଜଳ ପ୍ରଦୂଷିତ ହେବା ସହ ବିଷାକ୍ତ ହେଉଛି । ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ମହାନଦୀ ପାଣି ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବାରମ୍ବାର ପ୍ରତିବାଦ ଧର୍ମଘଟ କରାଯାଇଥିଲେ ମଧ୍ୟ ସରକାର କୌଣସି ଦୃଷ୍ଟି ଦେଉ ନଥିବାରୁ ଆଗାମୀ ଦିନରେ ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏ ନେଇ ସରକାର ଏନଜିଟି ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରୁଥିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ନଦୀ ସୁରକ୍ଷା ସମିତିର ସଂଯୋଜକ ମହେଶ୍ୱର ସାହୁ, ଆଠଗଡ଼ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତିଙ୍କ ସମେତ ବହୁ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *