ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ

Photo From I&PR Odisha

ଖୋର୍ଦ୍ଧ(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ ସିଂଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୂଜ କୁମାର ଦାସ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ, ବିଭିନ୍ନ ବିଭାଗର ଅଧିକାରୀମାନେ ଅତୀତରେ ଖୋର୍ଦ୍ଧା ଜିଲ୍ଲାରେ ସଫଳତାର ସହିତ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛନ୍ତି । ସେହି ଅଭିଜ୍ଞତାକୁ ପାଥେୟ କରି ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡାଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମରେ ଡ୍ରେନେଜ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅବଗତ ହେବା ସହିତ ଜାଗମରାରୁ ଗଙ୍ଗୁଆ ପର୍ଯ୍ୟନ୍ତ ବିଏମସିର ୪୯ ନମ୍ବର ୱାର୍ଡ ଏବଂ ପାଖାପାଖି ଅଞ୍ଚଳରେ ଡ୍ରେନେସ୍ ସମସ୍ୟାର ସମାଧାନକୁ ନେଇ ଗଙ୍ଗୁଆ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର କହିଲେ ଯେ ଜିଲ୍ଲାରେ ପ୍ରାକୃତିକ ଦୁର୍ବିପାକ ହେଲେ ସମସ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଥାନ୍ତି । ସେହି ଅନୁସାରେ ସମସ୍ତେ ପ୍ରସ୍ତୁତି କରିବାକୁ ସେ ଅନୁରୋଧ କରିବା ସହ ଖୋର୍ଦ୍ଧା ସହର ମଧ୍ୟରେ ବର୍ଷା ହେଲେ ଡ୍ରେନେଜ ସମସ୍ୟା ଉପୁଜୁଥିବାରୁ ଡ୍ରେନ୍ ଓ କଲଭର୍ଟ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ମତ ରଖିଥିଲେ । ବେଗୁନିଆ ବିଧାୟକ ତଥାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ନିଜ ବକ୍ତବ୍ୟରେ କହିଲେ ଯେ, ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ସଫଳତାର ସହ ହୋଇପାରିଛି । ପୁନଶ୍ଚ ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ୨୦୨୧ ମସିହାରେ ସଂଘଠିତ ‘ଜୱାଦ’ ବାତ୍ୟାରେ ଯେଉଁ ଚାଷୀମାନେ ଅଦ୍ୟାବଧି କ୍ଷତିପୂରଣ ପାଇନାହାଁନ୍ତି, ସେମାନଙ୍କୁ ଚଳିତ ମେ ମାସ ୨୫ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ‘ଫନୀ’ ବାତ୍ୟାରେ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀ ଅଦ୍ୟାବଧି କ୍ଷତିପୂରଣ ପାଇନଥିବାରୁ ବିଭିନ୍ନ ବ୍ଲକରେ ଜନଶୁଣାଣି ବେଳେ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସଂପର୍କରେ ବିଷଦ୍ ଭାବେ ଅନୁଧ୍ୟାନ କରି ତୁରନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଆଜିର ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *