ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍‌ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଶୋଚନୀୟ ଅବସ୍ଥାରେ ପୁରୁଣା ଜଗତପୁର ଡେଲ୍‌ଟା ତଳ କଲୋନୀ ରାସ୍ତା: ସିଏମସି ମେୟରଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଅନେକ ସମସ୍ୟା ରହିଥିବାବେଳେ ସମାଧାନର ଫଳ ଶୂନ । ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଜନସାଧାରଣ ଜର୍ଜରିତ ହେଉଛନ୍ତି । ବର୍ଷ ବର୍ଷ ଧରି ସିଏମସି ଅଧିକାରୀ ଓ କର୍ମଚାରୀମାନେ ସହରର ବିକାଶ ପାଇଁ ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ରହୁଛି । ଅନ୍ୟପକ୍ଷରେ ପୂର୍ବ କାଉନସିଲ ଅବଧି ଶେଷ ହେବାର ୩ବର୍ଷ ପର୍ଯ୍ୟନ୍ତ ନୂତନ କାଉନସିଲ ଗଠନ ହୋଇ ପାରିନଥିଲା । ଏହି ସମୟ ମଧ୍ୟରେ ବିଭାଗୀୟ ଅଧିକାରୀମାନେ ସହର ସମସ୍ୟା ସମାଧାନ ଦାୟିତ୍ୱ ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନଥିଲା । ତେବେ ସମ୍ପ୍ରତି ସିଏମସିର ନୂତନ କାଉନସିଲ ଗଠନ ହେବା ସହ ଜଣେ ଦକ୍ଷ ଦରଦୀ ତଥା ଜନସାଧାରଣଙ୍କ ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତି ସୁବାସ ସିଂହ ମେୟର ହେବା ପରେ କଟକ ସହରବାସୀ ବିଭିନ୍ନ ସମସ୍ୟାର ସମାଧାନ ଖୁବ ଶିଘ୍ର ହେବ ବୋଲି ଆଶାବାଦୀ ହୋଇଛନ୍ତି । ଅନ୍ୟପକ୍ଷରେ ମେୟର ଶ୍ରୀ ସିଂହ ମଧ୍ୟ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଅଞ୍ଚଳର ବହୁ ଦିନର ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ ମେୟରଙ୍କ ଦୃଷ୍ଟିକୁ ଆଣିବା ପାଇଁ ସିଏମସି ୪୮ ନମ୍ବର ୱାର୍ଡ଼ର ପୁରୁଣା ଜଗତପୁର ଡେଲଟା ତଳ କଲୋନୀବାସୀ ନିବେଦନ କରିଛନ୍ତି । ଏହି ଅଞ୍ଚଳର ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାବେଳେ ଏହି ରାସ୍ତାଟି କେଉଁ ବିଭାଗ ଅଧିନରେ ଆସୁଛି ତାହାକୁ ଅଞ୍ଚଳବାସୀ ବୁଝିପାରୁନାହାନ୍ତି । ରାସ୍ତାର ଉନ୍ନତିକରଣ ନିମନ୍ତେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଅନ୍ୟ ବିଭାଗ ମୁଣ୍ଡରେ ବୋଝ ଲଦି ନେଇ ଖସିଯାଉଛନ୍ତି । ତେଣୁ ମେୟର ଶ୍ରୀ ସିଂହ ଏହାର ହସ୍ତକ୍ଷେପ କରିବା ନିମନ୍ତେ ଅଞ୍ଚଳବାସୀ ଅନୁରୋଧ କରିଛି ।
ସୂଚନା ଅନୁଯାୟୀ, ଏହି କଲୋନୀରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଲୋକ ରହୁଥିବାବେଳେ ଶୋଚନୀୟ ରାସ୍ତା ଯୋଗୁଁ ଲୋକମାନେ ନାହିଁ ନଥିବାର ସମ୍ମୁଖିନ ହେଉଛନ୍ତି । ଗତ ଦୁଇ ମାସ ପୂର୍ବରୁ ନିର୍ବାଚନ ସମୟରେ ବହୁ ନେତା, ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଏହି ରାସ୍ତା କିପରି ତୁରନ୍ତ ମରାମତି କରାଯିବ ବୋଲି ଭୋଟରମାନଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇ ଥିଲେ । ହେଲେ ନିର୍ବାଚନ ପରେ ଏହି ରାସ୍ତାକାମ କେବେ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିକି ଡେଲଟା ତଳ କଲୋନୀ ରାସ୍ତା ଦୀର୍ଘ ୧୫ ବର୍ଷ ହେବ ମରଣଯନ୍ତା ପାଲଟିଥିଲେ ମଧ୍ୟ ଏଥିପାଇଁ କାହାରି ନଜର ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି କଲୋନୀରେ ଆଲୋକୀକରଣ ନିମନ୍ତେ ନା ଅଛି ଷ୍ଟ୍ରିଟ ଲାଇଟ ନା ଅଛି ଯାତୟାତ ପାଇଁ ଭଲ ରାସ୍ତା । ଫଳରେ କଲୋନୀବାସୀ ନାହିଁ ନଥିବା ଅବସ୍ଥାର ସମ୍ମୁଖିନ ହେଉଛନ୍ତି । ଘରକୁ ଗାଡି ନେଇ ଯିବା ସମ୍ଭବ ପର ହେଉନଥିଲା ବେଳେ ଗାଡି ମଟର ଗୁଡିକୁ ରାତିରେ ରାସ୍ତା ଉପରେ ଥୋଇ ଘରକୁ ଯିବାକୁ ପଡୁଛି । ରାତିର କିଟିମିଟିଆ ଅନ୍ଧାର ଭିତରେ ଖାଲଢିପ ରାସ୍ତାରେ ଏହି କଲୋନିବାସୀ ବହୁ ଦୁଖ କଷ୍ଟରେ ବଞ୍ଚିଛନ୍ତି । ଏନେଇ ଜଗତପୁର ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରାଙ୍କୁ ପଚାରିବାରୁ ଏହି ରାସ୍ତା ସିଏମସି ଅଧିନରେ ଯାଉନାହିଁ । ଏହି ରାସ୍ତା ଡେଲଟା ଅଧିନରେ ଯାଉଥିବାରୁ ଆମେ କିଛି କରିପାରୁନାହୁଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏ ସମ୍ପର୍କରେ ଇରେଗିସନ ଯନ୍ତ୍ରୀ ଅଶୋକ ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ, ଏହା ଆମ ବିଭାଗର କାମ ନୁହେଁ ଏହା ବ୍ୟାରେଜ ଅଧିନରେ ଯାଉଛି । ସେଥିପାଇଁ ତାଙ୍କ କାମ ଆମେ କେମିତି କରିବୁ ବୋଲି ସେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ବିଭାଗ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଥିବାବେଳେ ଏହି ଅଞ୍ଚଳର ବାସିନ୍ଦା କିଭଳି ସେମାନଙ୍କ ସମସ୍ୟାର ସମାଧାନ ହେବ ବୁଝି ପାରୁନାହାନ୍ତି । ତେଣୁ ନିଜେ ମେୟର ଏ ନେଇ ପଦକ୍ଷେପ ନେଲେ ହୁଏତ ଏହି ଅଞ୍ଚଳବାସୀଙ୍କ ମୁଖ୍ୟ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *