କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’

କୋଣାର୍କ କଳା ଓ ସାହିତ୍ୟ ଉତ୍ସବ -୨୦୨୧ ଉଦ୍‌ଯାପିତ: ‘କୋଣାର୍କ ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତ୍‌ପିଣ୍ଡ’


କୋଣାର୍କ(ଏନ୍‌.ଏମ୍‌.): ସମଗ୍ର ବିଶ୍ୱରେ ଉତ୍କଳୀୟ କଳା ଓ ସଂସ୍କୃତିର ବିଜୟ ବୈଜୟନ୍ତୀ ଉଡାଉଥିବା ବିଶ୍ୱଐତିହ୍ୟ କୋଣାର୍କର ସ୍ଥାପତ୍ୟ କଳା ଓଡିଆ ସାହିତ୍ୟର ହୃତପିଣ୍ଡ ବୋଲି ରବିବାର ଏଠାରେ ଆୟୋଜିତ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ-୨୦୨୧ର ଉଦ୍‌ଯାପନୀ ଦିବସରେ ସାରସ୍ୱତ ସାଧକମାନେ ମତବ୍ୟକ୍ତ କରିଛନ୍ତି । ଶତାବ୍ଦୀବ୍ୟାପି ସୂର୍ଯ୍ୟମନ୍ଦିର ଗାତ୍ରରେ ପ୍ରକୀର୍ତ୍ତିତ ପ୍ରତିଟି ସୂକ୍ଷ୍ମ ଭାସ୍କର୍ଯ୍ୟ ଓଡିଆ ଜନଜୀବନର ଗାଥାକୁ ଉଜ୍ଜୀବିତ କରୁଥିବା ଏହାର ବଳିଷ୍ଠ ପ୍ରମାଣ । ରବିବାର ଦିନତମାମ ଆୟୋଜିତ ୮ଟି ସଂପାନରେ ଗଳ୍ପ ଓ କବିତା ସଂପର୍କରେ ଆଲୋଚନା, ପୁସ୍ତକ ସମୀକ୍ଷା ଓ କବିତା ପଠନରେ ଶତାଧିକ କବି, ଗାଳ୍ପିକ, ପ୍ରାବନ୍ଧିକ, ସମୀକ୍ଷକ ଓ ସାହିତ୍ୟପ୍ରେମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ସଂପାନରେ ଗପର ଆୟୁଷ – କାହାଣୀ ବନାମ କୌଶଳ ଆଲୋଚନାରେ ଅତିଥି ବକ୍ତାରୂପେ ଡ. ଗୌରହରି ଦାସ, ପ୍ରଦୀପ୍ତ ମହାପାତ୍ର, ଡ. ସରୋଜିନୀ ସାହୁ ଓ ରବି ସ୍ୱାଇଁ ଭାଗନେଇ ଥିଲେ । ଡ. ହିରଣ୍ମୟୀ ମିଶ୍ର ଏହି ସଂପାନର ପରିଚାଳନା କରିଥିଲେ । ଦ୍ୱିତୀୟ ସଂପାନରେ କବିତାର ଆୟୁଷ-ତତ୍କାଳ ବନାମ ଚିରନ୍ତନ ଆଲୋଚନାରେ କ୍ଷୀରୋଦ ପରିଡା, ପବିତ୍ରମୋହନ ଦାଶ ଓ ଈପ୍ସିତା ଷଡଙ୍ଗୀ ଭାଗ ନେଇଥିଲେ । ଏହି ସଂପାନର ପରିଚାଳନା କରିଥିଲେ ଡ. ଜ୍ଞାନୀ ଦେବାଶିଷ ମିଶ୍ର । ତୃତୀୟ ସଂପାନରେ ବ୍ୟଙ୍ଗ ସାହିତ୍ୟ-ବୌଦ୍ଧିକତା ବନାମ ମନୋରଂଜନ ଆଲୋଚନାରେ ରାଧୁ ମିଶ୍ର, ମନ ମାଷ୍ଟ୍ରେ, ଡ. ମୃଣାଳ ଚାଟାର୍ଜୀ ଓ ବଦ୍ରି ମିଶ୍ର ଭାଗ ନେଇଥିଲେ । ଏହି ସଂପାନର ପରିଚାଳନାରେ ଥିଲେ କୁଳାଙ୍ଗାର ବ୍ୟଙ୍ଗକବି । ଚତୁର୍ଥ ସଂପାନରେ ନିଜ ନିଜ ବହି କଥା ବଖାଣିଥିଲେ ବିରଜା ମହାପାତ୍ର, ସଂଜୟ ବରାଳ ଓ ସଂଯୁକ୍ତା ମହାପାତ୍ର । ଏହି ସଂପାନର ପରିଚାଳନା କରିଥିଲେ ଦେବଦତ୍ତ ପତି । ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୪ଟି ସଂପାନରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରକାଶଚନ୍ଦ୍ର ଖଟୋଇ, ଶେଖ ଅବଦୁଲ ଖାଲିକ, ଗିରୀଶ ରଂଜନ, ଅଶୋକ ମଲ୍ଲ, ସ୍ୱପ୍ନେଶ୍ୱର ସାହୁ, ଗୋପୀନାଥ କର, ଡ. ସଂତୋଷ ମିତ୍ର, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଶ୍ୟାମପ୍ରକାଶ ସେନାପତି, ଉମାକାନ୍ତ ମହାପାତ୍ର, ରବୀନ୍ଦ୍ରନାଥ ବାହିନୀପତି, ବିପିନବିହାରୀ ଦଳାଇ ଓ ଭାଗିରଥୀ ସ୍ୱାଇଁ ଅତିଥିରୂପେ ଯୋଗ ଦେଇଥିଲେ । କବିତାପାଠ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅର୍ଚ୍ଚନା ଆଚାର୍ଯ୍ୟ, କ୍ରିଷ୍ଣା ମହାପାତ୍ର, ପ୍ରତାପ କୁମାର ରାଉତ, ପ୍ରଶାନ୍ତ କୁମାର ଦାଶ ଓ ସଂପଦ କୁମାର ରଥ । ଏହାପରେ ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସ୍ଥପତି ପଦ୍ମଶ୍ରୀ ପ୍ରଭାକର ମହାରଣା ମୁଖ୍ୟ ଅତିଥି, ବରିଷ୍ଠ କବି ଡ. ବଂଶୀଧର ଷଡଙ୍ଗୀ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ ବରିଷ୍ଠ କବି ରକ୍ଷକ ନାୟକ, କବି ଶଙ୍କର ପରିଡା ଓ ସମାଜସେବୀ ଏନ୍‌.ଏ.ଶାହଃ ଅନସାରୀ ଯୋଗଦେଇ ଏହି ଉତ୍ସବର ସଫଳତାକୁ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ସାରସ୍ୱତ ସାଧକ ଓ ଚିତ୍ରଶିଳ୍ପୀଙ୍କୁ ଓଡିଆ ମିଡିଆ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ପରିଚାଳନାରେ ଫଟୋଗ୍ରାଫର ଗଣେଶ ସାହୁ, ବୀରେନ ସାହୁ ଓ ସମାଜସେବୀ ବିଚିତ୍ର ମହାପାତ୍ର ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *