ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା

#ଢେଙ୍କାନାଳ(ଏନ୍.ଏମ୍.): ଏବେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ବେଳେବେଳେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ପ୍ରାଣହରାଉଥିବାବେଳେ ଜଙ୍ଗଲରେ ରୋଗ ଯନ୍ତ୍ରଣାରେ ମଧ୍ୟ ବନ୍ୟଜନ୍ତୁ ପ୍ରାଣ ହରାଇବା ଭଳି ଦୁଃଖଦ ଖବର ବନ୍ୟଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ମଶାଣି ନିକଟସ୍ଥ କାଜୁ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି । ୨୫ ବର୍ଷୀୟ ଏହି ଦନ୍ତାଟି କିଛି ଦିନ ହେବ କେଉଁ ଆଡେ ଯାଇ ନପାରି ଗୋଟିଏ ସ୍ଥାନରେ ରହୁଥିଲା । ତେଣୁ ସେ ଅସୁସ୍ଥ ଥିବା ବନ କର୍ମଚାରୀମାନେ ଅନୁମାନ କରିଥିଲେ । ଯାଞ୍ଚ କରିବା ପରେ ହାତୀ ଅସୁସ୍ଥ ଥିବା ଜଣାପଡ଼ିଥିଲା । ଏହା ପରେ ସାତକୋଶିଆରୁ ଏକ ବିଶେଷଜ୍ଞ ଦଳ ଆସି ହାତୀର ଚିକିତ୍ସା କରୁଥିଲେ । ହାତୀଟିର ଶରୀରରୁ ଜଳୀୟ ଅଂଶ କମିଯାଇଥିବାରୁ ତାକୁ ସାଲାଇନ ଦିଆଯାଇଥିଲା । ତା’ସହିତ ଆଣ୍ଟିବାୟୋଟିକ ଦିଆଯାଇଥିଲା ବୋଲି ସୂଚନା ମିଳିଛି । ତେବେ ଡାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

