କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
କର୍ମଚାରୀ ଓ ଅଧିକାରୀମାନଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରିଛି:କୃଷିମନ୍ତ୍ରୀ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପୃଥିବୀ ଇତିହାସରେ ଯେତେ ପରିବର୍ତ୍ତନ ଆସିଛି ସବୁରି ମୂଳରେ ରହିଛି ସାଂସ୍କୃତିକ ବିପ୍ଳବ । ନାଟକ ବ୍ୟକ୍ତି ତଥା ସାମୂହିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ । ନାଟକର ଚରିତ୍ରଗୁଡ଼ିକ ମାଧ୍ୟମରେ ସାମାଜିକ ଜୀବନରେ ଘଟୁଥିବା ଘଟଣାବଳୀ, ପାରିପାଶ୍ୱର୍କ ଚିତ୍ରକୁ ଦର୍ଶକ ହୃଦୟଙ୍ଗମ କରନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରବୀନ୍ଦ୍ର ମଣ୍ଡପଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, କୃଷି ରାଜ୍ୟ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ । ରାଜ୍ୟ ଆଜି କୃଷି କ୍ଷେତ୍ରରେ ଯେଉଁ ପ୍ରଗତି ହାସଲ କରିଛି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ ହେଉଥିବା କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଆଦି ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାଂସ୍କୃତିକ ପରିଷଦ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଏପରି କାର୍ଯ୍ୟକ୍ରମ ସେମାନଙ୍କର କର୍ମସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ସାଂସ୍କୃତିକ ପରିଷଦର ବାର୍ଷିକ ପତ୍ରିକା ‘ସ୍ମରଣିକା’କୁ ଅତିଥିମାନେ ଉନ୍ମୋଚନ କରିବା ସହିତ ପରିଷଦ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉତ୍ସବରେ କୃଷି ବିଭାଗ ସାଂସ୍କୃତିକ ପରିଷଦର ସଭାପତି ଜନାର୍ଦ୍ଦନ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ କାଳୀପ୍ରସନ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାନେତ୍ରୀ ପ୍ରତିଶ୍ରୁତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ ପରିଷଦର ସଦସ୍ୟସଦସ୍ୟାମାନଙ୍କ ଦ୍ୱାରା ରବୀନ୍ଦ୍ର ସାହୁଙ୍କ ରଚିତ ନାଟକ ‘ଭଙ୍ଗା ନୀଡ଼ର କାହାଣୀ’ ମଞ୍ଚସ୍ଥ କରାଯାଇଥିଲା । ଗୋବିନ୍ଦ ମହାପାତ୍ରଙ୍କ ସଂପାଦନା ଓ ନିର୍ଦ୍ଦେଶନାରେ ପରିବେଷିତ ଏହି ନାଟକରେ ମାନସ କୁମାର ପରିଡ଼ା ସହ ନିର୍ଦ୍ଦେଶନା ଦେଇଥିବାବେଳେ ବିନୟ ଦାସ ସଂଗୀତ ନିର୍ଦ୍ଦେଶନା ଏବଂ ରୁବି ହାତୀ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *