କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ

#କଟକ(ଏନ୍.ଏମ୍.): ଗରିବ ଲୋକମାନଙ୍କୁ ଭୋକିଲା ପେଟରେ ନରଖିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଚଳାଇଛନ୍ତି । ଗରିବ ଲୋକମାନଙ୍କୁ ୧ଟଙ୍କାରେ ଚାଉଳ ଗହମ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ହେଲେ ସରକାରଙ୍କ ଏହି ଯୋଜନାକୁ ସଫଳ ରୂପାୟନ କରିବା ପାଇଁ କାର୍ଯ୍ୟକରୁଥିବା ରିଟେଲ ଡିଲର୍ସମାନଙ୍କ ପ୍ରତି ସରକାରୀ ଅବହେଳା ଦୁର୍ଭାଗ୍ୟଜନକ ବୋଲି ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏ ପଟେ ସରକାର ନିଜର ବାହାଦୂରୀ ନିମନ୍ତେ ବିଭିନ୍ନ ଯୋଜନା ଆରମ୍ଭ କରିଦେଉଥିବାବେଳେ ଏହାକୁ ସଫଳତା ଆଣିବା କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ରାସନ ଯୋଗାଇ ଦିଆଯାଉଥିବାବେଳେ ହିତାଧିକାରୀଙ୍କୁ ସୁଷମ ବଣ୍ଟନ କରିଥିବା ଡିଲର୍ସମାନଙ୍କୁ ଆଜିଯାଏ ସେମାନଙ୍କ ପ୍ରାପ୍ୟ ଦିଆଯାଇ ନାହିଁ । ଏଥି ସହିତ ଡିଲର୍ସମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟବ୍ୟାପୀ ଡିଲର୍ସମାନେ ଏଭଳି ସମସ୍ୟା ଭୋଗ କରୁଥିଲେ ମଧ୍ୟ ଏହାର ସମାଧାନ ପାଇଁ ପ୍ରଶାସନ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଏହାର ପ୍ରତିବାଦରେ କଟକ ମହାନଗର ନିଗମ (ସିଏମସି) ଅଞ୍ଚଳର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ୫ଦଫା ନେଇ ଆସନ୍ତା ମଇ ମାସ ୧୮ତାରିଖ ଦିନ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଯୋବ୍ରା ସ୍ଥିତ ମା’ ଶାରଳାଙ୍କ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ରେ କଟକ ରିଟେଲ ଡିଲର୍ସ ଆସୋସିଏସନ ବରିଷ୍ଠ ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର କାର୍ଯ୍ୟ କାରୀ ସଭାପତି ସୟୈଦ୍ ଏକ୍ରାମ ହୁସେନ୍, ଉପ ସଭାପତି ପୀତବାସ ଜେଠୀ, ସହ ସମ୍ପାଦକ ସର୍ବଶ୍ରୀ ବିଜୟ କୁମାର ସାହୁ, ପ୍ରେମ କୁମାର ସେନ, ବିନୟ ବୈଶାଖ, ଚନ୍ଦ୍ରମଣି ମହାରଣା, ତାପସ ମହାନ୍ତି, ୪୧ନମ୍ୱର ୱାର୍ଡ଼ ପ୍ରତିନିଧି ପ୍ରଶାନ୍ତ ଜେନା, ସହ ପ୍ରତିନିଧି ଶାରଦା ପ୍ରସନ୍ନ ମହାନ୍ତି, ପ୍ରତ୍ୟେକ ୱାର୍ଡ଼ର ପ୍ରତିନିଧି ଶିବ ସେଠୀ, ଉମାକାନ୍ତ ସାହୁ, ନଗେନ କୁମାର ସାହୁ, କିରଣ କୁମାର ପରିଜା, ପ୍ରଦୀପ ପ୍ରସାଦଙ୍କ ସମେତ ଶତାଧିକ ଖୁଚୁରା ବିକ୍ରେତା ମାନେ ଯୋଗ ଦେଇ ଥିଲେ । ତେବେ ଅସନ୍ତୁଷ୍ଟ ଡିଲର୍ସମାନଙ୍କ ଏହି ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ସଂଘ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
