News by Ajit Kumar Mallick (Konark)

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର
ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାଠାରେ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ଓ ମହୋଦଧିରେ ବୁଡ଼ ପକାଇବାର ପୂର୍ବାନୁମାନ କରାଯାଇଛି । ମାଘମେଳାରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶର ସମ୍ଭାବନା ଥିବାରୁ ଚନ୍ଦ୍ରଭାଗା ମେଳାପଡ଼ିଆକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ୨୭ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ ରୁ ୧୦ଟା ମଧ୍ୟରେ ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଈଶାଣେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବ ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବେ । ଏହା ପରେ ଶୋଭାଯାତ୍ରାରେ ବାହାରି ରାତି ୧୧ଟା ୩୦ ସୁଦ୍ଧା ତିନିଠାକୁର କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖସ୍ଥ ମଣ୍ଡପରେ ପହଞ୍ଚିବା ପରେ ମିଳିତ ଭାବେ ପୂଜାର୍ଚ୍ଚନା କରାଯିବ । ରାତି ୧୨ଟା ୩୦ ସୁଦ୍ଧା ଏନଏସି କାର୍ଯ୍ୟାଳୟ ପରିସରରୁ ଶ୍ରୀଜୀଉମାନେ ମିଳିତ ଶୋଭାଯାତ୍ରାରେ ବାହାରି କୋଣାର୍କ ଆର.ଆଇ ଅଫିସ ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଭୋଗ ଖାଇବା ପରେ ରାତି ୧ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ । ଏଠାରେ ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉମାନଙ୍କର ପୂଜାହୋମ କର୍ମ ସମ୍ପାଦନ କରିବା ପରେ ମାଘ ଶ୍‌ୁକ୍ଳ ସପ୍ତମୀ(୨୮ତାରିଖ) ପ୍ରତ୍ୟୁଷ ୧ଟା ୧୬ ରୁ ୩ଟା ୫୦ ମଧ୍ୟରେ ଶ୍ରୀଜୀଉମାନଙ୍କୁ ପବିତ୍ର ତୀର୍ଥ ଜଳରେ ସ୍ନାନ ପାଇଁ ଅମୃତବେଳା ଥିବାରୁ ତ୍ରିଦେବଙ୍କ ମିଳିତଭାବେ ସ୍ନାନ କରାଯିବ । ଏହା ପରେ ପରେ ପ୍ରତ୍ୟୁଷ ୪ଟା ୫୦ରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ସ୍ନାନ କରିବାର ସୁଯୋଗ ପାଇବେ । ପରମ୍ପରାନୁଯାୟୀ ଷଷ୍ଠୀରାତିରେ ଚନ୍ଦ୍ରଭାଗା ମେଳାପଡ଼ିଆରେ ସମବେତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ରାତିବିତାଇବା ସହ କିଆପଣସରେ ପ୍ରସ୍ତୁତ ଚୁଲିରେ ମାଟିହାଣ୍ଡି ବସାଇ ଭାତଡ଼ାଲମା ପ୍ରସ୍ତୁତ କରି ଖାଇବେ । ଏହି ରନ୍ଧାକାର୍ଯ୍ୟରେ ବ୍ୟବହୃତ ହାଣ୍ଡିଗୁଡ଼ିକୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ହାଣ୍ଡିଭଙ୍ଗା ପୁଷ୍କରଣୀରେ କଚାଡ଼ି ଭାଙ୍ଗିଥାନ୍ତି । ପ୍ରତ୍ୟୁଷରୁ ଠାକୁରମାନଙ୍କ ସ୍ନାନପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିରେ ଶ୍ରଦ୍ଧାଳୁମାନେ ବୁଡ଼ପକାଇ ସଙ୍କଳ୍ପ କରିବା ସହ ସୂର୍ଯ୍ୟୋଦୟ ଦର୍ଶନ ଓ ସୂର୍ଯ୍ୟ ପୂଜା କରିଥାନ୍ତି । ସେଠାରୁ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ନବଗ୍ରହଙ୍କ ପୀଠରେ ପୂଜା ଓ ହୋମ କରିଥାନ୍ତି । ପୁରାଣ ପ୍ରସିଦ୍ଧ ଏହି ମେଳାରେ ଭାରତର କୋଣ ଅନୁକୋଣରୁ ସାମିଲ ହେଉଥିବା ଶ୍ରଦ୍ଧାଳୁଙ୍କ ସମେତ ବିଦେଶୀ ପର୍ଯ୍ୟଟକମାନଙ୍କ ନିମନ୍ତେ ରାତ୍ରୀ ରହଣୀ, ପାନୀୟ ଜଳ, ପରିମଳ, ଆଲୋକ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ସୁରକ୍ଷା ଓ ମେଳାପଡ଼ିଆରେ ରାତିତମାମ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ୩୦ ପ୍ଳାଟୁନ ପୋଲିସ ଫୋର୍ସ, ୪ଜଣେ ଅତିରିକ୍ତ ଏସପି, ୧୨ ଜଣ ଡ଼ିଏସପି, ୨୪ଜଣ ଇନସ୍ପେକ୍ଟର, ୧୧୨ଜଣ ଏସଆଇ ଓ ଏଏସଆଇ, ୧୩୧ଜଣ କନେଷ୍ଟବଳ, ୩୩ଜଣ ହାବିଲଦାର, ୧୮ଜଣ ଟ୍ରାଫିକ ପୁଲିସ ଓ ୩୦୦ଜଣ ଗୃହରକ୍ଷୀ ସାଧା ପୋଷାକ ଧାରୀ ପୁଲିସ, ସନ୍ଧାନୀ କୁକୁର ଓ ବୋମାନିଷ୍କ୍ରିୟକାରୀ ଦଳ ଓ ଓଡ୍ରାଫ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ପୁରୀ ଏସପି ଡ. କନୱାର ବିଶ୍ୱାସ ସିଂହ ନେତୃତ୍ୱରେ ପୁଲିସ ବାହିନୀ ମେଳା ପଡିଆ ସମେତ କୋଣାର୍କରୁ ପୁରୀ, ଭୁବନେଶ୍ୱର, କାକଟପୁର ରାସ୍ତାରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସମୁଦ୍ରରେ ସ୍ନାନ ସମଯରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ୨୦ଜଣ ଲାଇଫଗାର୍ଡ ଓ ସ୍ଥାନୀୟ ନୋଳିଆ ମତ୍ସ୍ୟଜୀବୀଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ତା ହୋଇଛି । ଅଗ୍ନିସମ ବିଭାଗର ଦମକଳ ଗାଡି ସହିତ ଆଗ୍ନିକମାନେ ମେଳା ପଡିଆରେ ଦୁର୍ଘଟଣାକୁ ଏଡାଇବା ପାଇଁ ଉପସ୍ତିତ ରହିବେ । ସଙ୍କ୍ରାମକ ରୋଗର ନିରାକରଣ ନିମନ୍ତେ ରାମଚଣ୍ଡୀ, ଚନ୍ଦ୍ରଭାଗା ମେଳାପଡ଼ିଆ ଓ ବସଷ୍ଟାଣ୍ଡ ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର ଖୋଲାଯିବା ସହ ଦୁଇଟି ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ି ଓ ତିନୋଟି ଆମ୍ବୁଲାନସର ବ୍ୟବସ୍ଥା କରାଯାଇଛି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଳାପଡିଆର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୦ଟି ଅସ୍ଥାୟୀ ନଳକୂପ, ୪୦ଟି ପାଇପ ପଏଣ୍ଟ ଓ ୪ଟି ପାଣିଟ୍ୟାଙ୍କର ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଭାଗା ପୁଷ୍କରଣୀରୁ ଆବର୍ଜନା ସଫା କରାଯାଇ ତୀର୍ଥ ଜଳକୁ ବିଶୋଧନ କରାଯାଇଥିବା ବେଳେ ପଙ୍କ ଉଦ୍ଧାର କାର୍ଯ୍ୟ ସଠିକ ଭାବେ ହୋଇ ନାହିଁ । ଟାଟା ପାୱାର ଓ କୋଣାର୍କ ଏନଏସିର ମିଳିତ ସହଯୋଗରେ ମେଳାପଡ଼ିଆ, ଚନ୍ଦ୍ରଭାଗା ବଜାର ଓ କୋଣାର୍କରେ ଉଜ୍ଜଳ ଆଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ଜିଲ୍ଲା ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ରାତିତମାମ ବିଭିନ୍ନ ପ୍ରକାରର ସାଂସ୍କୃୁତିକ କାର୍ଯ୍ୟକ୍ରମ ସମେତ ହଜାଖୋଜା ମଞ୍ଚର ଆୟୋଜନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଓ ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୨୦୦ସ୍ୱେଚ୍ଛାସେବୀ ମେଳାପଡ଼ିଆରେ ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ବୋଲି ସମାଜସେବୀ ରାମକୃଷ୍ଣ ମହାନ୍ତି ଜଣାଇଛନ୍ତି । ମାଘସପ୍ତମୀ ଅବସରରେ ଷଷ୍ଠୀ ଓପ୍ତମୀ ଦୁଇଦିନ ପାଇଁ ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ ରହିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧଧ୍ୟା ସୁଶ୍ରୀ ସଂଞ୍ଜକ୍ତା ତ୍ରିପାଠୀ କାର୍ଯ୍ୟନିର୍ବାହୀ ଅଧିକାରୀ ଏସକେ ଶାଗିରୀ, ଗୋପ-କୋଣାର୍କ, ଅସ୍ତରଙ୍ଗ, କାକଟପୁର, ନିମାପଡା ତହସିଳଦାର ଓ ବିଡିଓ ଏବଂ ମେଳା ସହ ଜଡିତ ସମସ୍ତ ବିଭାଗିୟ ଅଧିକାରୀ ମେଳାପଡ଼ିଆରେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିବା ସହ ତ୍ୱରାନିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *