ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ମେଫେୟାର ନଗରର ସ୍ନେହ ଫାଉଣ୍ଡେସନ ସେଲ୍‌ଟରଠାରେ ଏକ ସାତ ଦିନିଆ ଶୀତକାଳୀନ ଶିବିରର ଉଦ୍‌ଘାଟନ ହୋଇଯାଇଛି । ଏହି ଶିବିରର ଉଦ୍‌ଘାଟନ ସଭାରେ ଆଇ.ଏମ୍‌.ଏସ୍‌.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ଯୋଗ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସେ ନିଶା ନିବାରଣ, ବୃକ୍ଷରୋପଣ, ସୁସ୍ଥ ଜୀବନ ଶୈଳୀ ଆଦି ଉପରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ । ଜାତୀୟ ସେବା ଯୋଜନା କିଭଳି ଆଗାମୀ ଦିନରେ ଓଡ଼ିଶାରେ ଅଧିକ ବ୍ୟାପକ ହେବ ସେ ବିଷୟରେ କହିଥିଲେ ।
ମୁଖ୍ୟବକ୍ତା ଭାବରେ ସ୍ନେହ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀମାନଙ୍କୁ କହିଲେ କି କୌଣସି ଜାଗାରେ ସଫେଇ କାମ କରିଦେଲେ କି କେବଳ ବୃକ୍ଷରୋପଣ କରିଦେଲେ ସମାଜସେବା ହୋଇଯାଏନି, ବରଂ ଆମର ଯେ କୌଣସି କାର୍ଯ୍ୟ ଦ୍ୱାରା ସମାଜର ମଙ୍ଗଳ ହେବ ତାହାହିଁ ସମାଜ ସେବା । ସେ ମଧ୍ୟ ସ୍ନେହ ଫାଉଣ୍ଡେସନର ଲକ୍ଷ୍ୟ ଓ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ମେ ଫେୟାର ନଗରର ସଭାପତି ମନୋଜ ଦିଗଲ ଯୋଗଦେଇ ନିଜକୁ ସମାଜରେ ଭଲ ମଣିଷରୂପେ ଗଢ଼ି ତୋଳିବା ଦିଗରେ ଜାତୀୟ ସେବା ଯୋଜନା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ସ୍ନେହ ଫାଉଣ୍ଡେସନର ବିଶିଷ୍ଟ ସମାଜ ସେବୀ ବନଦେବ ସ୍ୱାଇଁ ଏବଂ ଦିବାକର ମହାଲିଆ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଏହି ସ୍ୱତନ୍ତ୍ର ଶିବିର ପାଇଁ ଉତ୍ସାହିତ କରିଥିଲେ । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ସୁସ୍ଥ ଏବଂ ଉନ୍ନତ ସମାଜ ଗଠନ କରିବା । ଯୁବ ସମାଜ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ସାମିଲ କରି ପରିବେଶ ପରିଚ୍ଛନ, ନିଶା ନିବାରଣ, ସାମାଜିକ ସଚେତନତା ତଥା କୋଭିଡ ମହାମାରୀ କବଳରୁ ସମାଜର ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ବିଭିନ୍ନ ନିୟମ ଏବଂ ପଦକ୍ଷେପର ଅବଗତି କରାଇବା ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ । ଏହି ଶିବିରକୁ ଆଇ.ଏମ୍‌.ଏସ୍‌ର ସମାଜସେବା ବିଭାଗର ମୁଖ୍ୟ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରଘୁନାଥ ମଣ୍ଡଳ ପରିଚାଳାନା କରିବା ସହିତ ସାତ ଦିନଆ ଶିବିରର କାର୍ଯ୍ୟକ୍ରମ ଉପରେ ସାମ୍ୟକ ସୂଚନା ଦେଇଥିଲେ । ଆଇ.ଏମ୍‌.ଏସ୍‌ର ପାଠ୍ୟ ସଂଯୋଜିକା ଡଃ ଗାୟତ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *