କଟକ ମହାନଗର ଶାନ୍ତି କମିଟିର ନିଷ୍ପତ୍ତି :୨୪ରେ କାଳୀପୂଜା ୨୮ରେ ଭାଷାଣୀ

କଟକ ମହାନଗର ଶାନ୍ତି କମିଟିର ନିଷ୍ପତ୍ତି :୨୪ରେ କାଳୀପୂଜା ୨୮ରେ ଭାଷାଣୀ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଅକ୍ଟୋବର ୨୪ ତାରିଖରେ କାଳୀପୂଜା, ୨୫ରେ ସୂର୍ଯ୍ୟପରାଗ, ୨୬ ଓ ୨୭ ଦୁଇ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୮ଶୁକ୍ରବାର କାଳୀ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଦରଘାବଜାରସ୍ଥିତ କମିଟିର କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ଏକ ବୈଠକ ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ଭିକାରୀ ଦାସ ଚଳିତ ବର୍ଷ ଦୁର୍ଗାପୂଜା ଓ ଭାଷାଣୀ ଉତ୍ସବ ପାଗର ବିପର୍ଯ୍ୟୟ ସ୍ଥିତି ସତ୍ତ୍ୱେ ପରମ୍ପରା ରକ୍ଷା କରି ଶାନ୍ତି ଶୃଙ୍ଖଳା ସହ ସମାପନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨୪ ତାରିଖ କାଳୀପୂଜା ଅନୁଷ୍ଠିତ ହେବ । ୨୫ରେ ସୂର୍ଯ୍ୟପରାଗ ପଡୁଥିବା କାରଣରୁ ୨୬ ଓ ୨୭ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୮ରେ ଭାଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ ପ୍ରସ୍ତାବ ଆଗତ କରିଥିଲେ । ୨ଠ୧୯ରେ ଯେଉଁ ଭଳି ଭାବେ କାଳୀପୂଜା ଓ ଭାଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା-ଠିକ ସେହି ଭଳି ଚଳିତ ବର୍ଷ ପାଳନ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା । ଏହି ପ୍ରସ୍ତାବ ବୈଠକରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା । କାଳୀପୂଜା ଓ ଭାଷାଣୀ ଉତ୍ସବକୁ ସଫଳ କରିବା ପାଇଁ ଆସନ୍ତା ୧୬ ତାରିଖ ରବିବାର ଅପରାହ୍ନ ଘ.୫:୩ଠମି. ସମୟରେ ସ୍ଥାନୀୟ ବାରବାଟୀଷ୍ଟାଡିୟମସ୍ଥିତ ଓ.ସି.ଏ. ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ସମସ୍ତ କାଳୀ ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଗଲା । ଏହି ବୈଠକରେ କର୍ମକର୍ତ୍ତା ବିଜୟ କୁମାର ଦାଶ, ନୃସିଂହଚରଣ ଚୌଧୁରୀ, ଶିବେନ୍ଦ୍ର ହାତୀ, ଦେବାଶିଷ ରାୟ, ତାପସକୁମାର ପ୍ରହରାଜ, ଧର୍ମେଶ ନାୟକ, ନରେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ବେହେରା, ଅଶୋକ କୁମାର ରାଉତରାୟ, ପ୍ରଦୀପ କୁମାର ମହାରଣା, ମୀନକେତନ ଦାସ, ବିଜୟ କୁମାର ନାୟକ, ଡ. ଦ୍ୱିପାୟନ ପଟ୍ଟନାୟକ, ଲିଙ୍ଗରାଜ ହାତୀ ଓ ସୁଦୀପ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *